ନୂଆଦିଲ୍ଲୀ:କେନ୍ଦ୍ରର କୃଷି ଆଇନକୁ ବିରୋଧ କରି କୃଷକମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି । ସୀମାରେ ସେମାନଙ୍କ ଆନ୍ଦୋଳନ 16 ଦିନରେ ପହଞ୍ଚିଛି । ଏପଟେ ଚାଷୀମାନେ କୋଭିଡ୍ ନିୟମକୁ ଉଲ୍ଲଙ୍ଘନ କରୁଥିବା ଦର୍ଶାଇ ସିଙ୍ଘୁ ସୀମାରେ ଆନ୍ଦୋଳନରତ ସମସ୍ତ କୃଷକଙ୍କ ନାମରେ ପୋଲିସ ଏତଲା ଦାୟର କରିଛି ।
ମହାମାରୀ ଆକ୍ଟ ଅନୁସାରେ ମାମଲା ରୁଜୁ କରାଯାଇଛି । ନଭେମ୍ବର 29 ତାରିଖରେ ଏଠାରେ ଚାଷୀମାନେ ଆନ୍ଦୋଳନ କରୁଛନ୍ତି । ତେବେ ଏଠାରେ ନିୟୋଜିତ ଥିବା ଦୁଇ ଜଣ ଡିସିପିଙ୍କର କୋରୋନା ପଜିଟିଭ୍ ଆସିବା ପରେ ଦିଲ୍ଲୀ ପୋଲିସ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।
ସେପଟେ ସରକାର ଚାଷୀଙ୍କ ଦାବି ଶୁଣୁନଥିବାରୁ ରେଲୱେ ଟ୍ରାକକୁ ସେମାନେ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହାସହ ଗୁରୁବାର କେନ୍ଦ୍ର କୃଷିମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ ପରେ ଚାଷୀ ନେତା ବୁଟା ସିଂହ କହିଛନ୍ତି, ‘ଆମେ 10 ଡିସେମ୍ବର ଯାଏଁ ସମୟ ଦେଇଛୁ । ଯଦି ପ୍ରଧାନମନ୍ତ୍ରୀ ଆମ କଥା ନମାନନ୍ତି ଏବଂ ଆଇନ ରଦ୍ଦ ନକରନ୍ତି, ତାହେଲେ ରେଳ ଟ୍ରାକ ଅବରୋଧ କରିବୁ ।’ ଦେଶର ସମସ୍ତ ଚାଷୀ ରେଳ ଧାରଣାକୁ ଓହ୍ଲାଇବେ ବୋଲି ବୁଟା ସିଂହ କହିଛନ୍ତି ।