ଓଡିଶା

odisha

ETV Bharat / bharat

ସାପକୁ ମାରି ପୋଡି ଦେଲେ ଯୁବକ, ଥାନାକୁ ଗଲା ମାମଲା - ବନ୍ଦାୟୁ ଜିଲ୍ଲା ସାପ ଭିଡିଓ

ସାପକୁ ମାରି ପୋଡି ଦେବା ଘଟଣାରେ ଯୁବକଙ୍କୁ ବିରୋଧରେ ଥାନାରେ ମାମଲା । ଉତ୍ତର ପ୍ରଦେଶ ବନ୍ଦାୟୁରୁ ସାମ୍ନାକୁ ଆସିଛି ଏହି ଘଟଣା । ଅଧିକ ପଢନ୍ତୁ

ସାପ ମାରିବାରୁ ଯୁବକଙ୍କ ବିରୋଧରେ ମାମଲା
ସାପ ମାରିବାରୁ ଯୁବକଙ୍କ ବିରୋଧରେ ମାମଲା

By

Published : Jun 11, 2023, 8:07 AM IST

ଲକ୍ଷ୍ନୌ:ସାପ ମାରିବାରୁ ଅଡୁଆରେ ଯୁବକ । ଥାନାରେ ପହଞ୍ଚିଲା ମାମଲା । ଉତ୍ତରପ୍ରଦେଶ ବନ୍ଦାୟୁ ଜିଲ୍ଲାରେ ମୂଷା, କୁକୁର ପରେ ଏବେ ସାପକୁ ହତ୍ୟା କରାଯିବା ନେଇ ଥାନାରେ ଅଭିଯୋଗ ହୋଇଛି । ବନ ସଂରକ୍ଷକଙ୍କ ଅଭିଯୋଗ କ୍ରମେ ଜଙ୍ଗଲ ସୁରକ୍ଷା ଆଇନରେ ଜଣେ ଯୁବକଙ୍କୁ ବିରୋଧରେ ମାମଲା ରୁଜୁ ହୋଇଛି । ସମ୍ପୃକ୍ତ ଯୁବକ କୁଡିଆରେ ଶୋଇଥିବା ସମୟରେ ଗୋଟିଏ ସାପ ପଶି ଆସିଥିଲା । ଭୟରେ ସେ ସାପକୁ ପ୍ରଥମେ ମାରିବା ପରେ ପୋଡି ଦେଇଥିଲେ । ଯାହା ତାଙ୍କୁ ମହଙ୍ଗା ପଡିଛି । ସାପକୁ ପୋଡିବା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଜୁନ ୮ରେ ଉକ୍ତ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ, ବିସୌଲି କୋତୱାଲି ଅଞ୍ଚଳର ଜଣେ ଯୁବକ ସାପକୁ ମାରିଥିବା ନେଇ ସ୍ବୀକାର କରୁଥିବା ଶୁଣିବାକୁ ମିଳୁଛି । ଭିଡିଓରେ ଯୁବକ ଜଣକ କହୁଥିବାର ଶୁଣାଯାଉଛି ଯେ, ସେ ଶୋଇଥିବା ସ୍ଥାନକୁ ସାପଟି ପଳାଇ ଆସିଥିଲା । ତେଣୁ ସେ ତାକୁ ପ୍ରଥମେ ମାରିବା ପରେ ପୋଡି ଦେଇଥିଲେ । କାଳେ ସାପ ତାଙ୍କୁ କାମୁଡି ଦେଇଥାନ୍ତା ସେହି ଭୟରେ ସେ ମାରି ଦେଇଥିଲେ । ତେବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବନ ବିଭାଗ ଏହାର ଯାଞ୍ଚ କରି ଥାନାରେ ଏଫଆଇଆର ଦେଇଛି । ବନ ସଂରକ୍ଷକ କ୍ରିଷ୍ଣା କୁମାର ଯାଦବଙ୍କ ଅଭିଯୋଗ କ୍ରମେ ଜଙ୍ଗଲ ସୁରକ୍ଷା ଆଇନ ଅନୁସାରେ ସମ୍ପୃକ୍ତ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

ପୋଲିସ ସୂଚନା ଦେଇଛି ଯେ, କିଛି ଯୁବକ ଗୋଟିଏ ସାପକୁ ଧରି ମାରି ଦେଇଥିବା ଅଭିଯୋଗ ଆସିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଯୁବକମାନେ ସାପଟିକୁ ଜାଳି ଦେଇଥିଲେ । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ବିସୌଲି ସହର ଅନ୍ତର୍ଗତ ଇଦଗାହ ରୋଡରେ ଥିବା ଏକ କାଠ କୁଡିଆ ଭିତରେ ସାପ ପଶି ଆସିଥିଲା । ଏହା ଦେଖି କିଛି ଯୁବକ ସାପକୁ ମାରି ପୋଡି ଦେଇଥିଲେ । ଏହି ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ପଶୁ ପ୍ରେମୀ ବିଭୋର ଶର୍ମା ବନ ବିଭାଗକୁ ଅବଗତ କରିଥିଲେ ।

ବନ ବିଭାଗ ଅଧିକାରୀ ସେଠାରେ ପହଞ୍ଚିବା ପରେ କୌଣସି ପ୍ରମାଣ ପାଇନଥିଲେ । କିନ୍ତୁ କିଛି ସମୟ ପରେ ସାପକୁ ଜାଳିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାକୁ ଭିତ୍ତି କରି ପୋଲିସ ଜୋଏବ ନାମକ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିଛି । ତେବେ କାହିଁକି ସାପକୁ ମାରିଲ ବୋଲି ପ୍ରଶ୍ନ କରିବାକୁ ଯୁବକ ଜଣକ କହିଛନ୍ତି, ଯଦି ତାଙ୍କୁ ସାପ କାମୁଡି ଦେଇଥାନ୍ତା ତାହାହେଲେ ଏଥିପାଇଁ କିଏ ଦାୟୀ ହୋଇଥାନ୍ତା । କହିରଖୁଛୁ କି, କିଛି ଦିନ ତଳେ ବନ୍ଦାୟୁ ଜିଲ୍ଲାରେ ମୂଷାକୁ ବୁଡାଇ ମାରିବା ଘଟଣାରେ ଜଣେ ଯୁବକଙ୍କୁ ଥାନାକୁ ଯିବାକୁ ପଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details