ନୂଆଦିଲ୍ଲୀ: ବ୍ଲକ ହେଲା ବୁଲ୍ଲି ବାଈ ଆପ୍ ।'ବୁଲ୍ଲି ବାଈ' ଆପ୍ରେ ମୁସ୍ଲିମ୍ ମହିଳାଙ୍କ ଫଟୋ ଅପ୍ଲୋଡ କରିବା ଏବଂ ନିଲାମ କରିବା ମାମଲାକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଏହି ବିବାଦୀୟ ଆପ୍କୁ ଏବେ ବ୍ଲକ କରି ଦିଆଯାଇଛି (Bulli Bai' app targeting Muslim women blocked) । ଏନେଇ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଏହି ଆପ୍କୁ ତିଆରି କରିଥିବା ବ୍ୟକ୍ତିମାନେ ମହିଳା ସାମ୍ବାଦିକାଙ୍କ ଫଟୋକୁ ‘ବୁଲ୍ଲି ବାଈ’ ଆପରେ ସେୟାର କରୁଛନ୍ତି । ସେମାନେ ସାମ୍ବାଦିକାଙ୍କ ଫଟୋରେ ଅଶ୍ଳୀଳ ମନ୍ତବ୍ୟ ମଧ୍ୟ ଲେଖୁଛନ୍ତି । ଯାହାକୁ ବିରୋଧ କରି ଜଣେ ମହିଳା ସାମ୍ବାଦିକା ଦିଲ୍ଲୀ ସାଇବର ପୋଲିସ ଷ୍ଟେସନରେ ଧାରା ୫୦୯ ଅଧୀନରେ ଏକ ମାମଲା ରୁଜୁ କରିଛନ୍ତି ।
ବୁଲ୍ଲି ବାଈ ଆପ କୁ କିଏ ତିଆରି କରିଛି ତାହା ସଠିକ ଭାବେ ଜଣା ପଡିନାହିଁ । ଅଭିଯୋଗକାରୀ ମହିଳା ସାମ୍ବାଦିକା ଜଣକ ଯେଉଁ ସ୍କ୍ରିନ୍ ସଟ୍ ସେୟାର କରିଛନ୍ତି, ତା’ର ୟୁଆର୍ଏଲ୍ bullibai.github.io ରହିଛି। ଏବେ ଏହି ୟୁଆର୍ଏଲ୍ ସକ୍ରିୟ ନାହିଁ । ମହିଳା ସାମ୍ବାଦିକା ଜଣକ ଯେଉଁ ସ୍କ୍ରିନ୍ ସଟ୍ ସେୟାର କରିଛନ୍ତି ସେଥିରେ ପଞ୍ଜାବୀ ଭାଷାରେ କିଛି ଲେଖା ହୋଇଥିବା ଦେଖିବାକୁ ମିଳିଛି। ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି। ଏହି ଆପକୁ ନେଇ ଅଭିଯୋଗ ପରେ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବନୀ ବୈଷ୍ଣବ କହିଛନ୍ତି ଏହାର ତଦନ୍ତ ଚାଲିଛି ଜଡିତ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ଆପରୁ ବ୍ଲକ କରି ଦିଆଯାଇଥିବା କହିଛନ୍ତି ଅଶ୍ବନୀ ।
ଗତକାଲି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଟ୍ୟାଗ୍ କରି ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କରିଥିବା ଆବେଦନର ପ୍ରତ୍ୟୁତ୍ତର ଦେଇ ସେ ଲେଖିଛନ୍ତି, ‘ବୁଲ୍ଲି ବାଈ ଆପ୍’ ତିଆରି ଏବଂ ପ୍ରସାରଣ ପାଇଁ ବ୍ୟବହୃତ ‘ମାଇକ୍ରୋସଫ୍ଟ ମାଲିକାନାରେ ଥିବା ସଫ୍ଟୱେର୍-ସେୟାରିଙ୍ଗ୍ ପ୍ଲାଟ୍ଫର୍ମକୁ ଆଜି ବ୍ଲକ୍ କରି ଦିଆଯାଇଛି। ଅଧିକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ‘ସିଇଆର୍ଟି’ ଏବଂ ପୋଲିସ ପରସ୍ପରକୁ ସହଯୋଗ କରି ଉଦ୍ୟମ ଚଳାଇଛନ୍ତି ବୋଲି କହିଛନ୍ତି ଅଶ୍ବନୀ ବୈଷ୍ଣବ ।
ପ୍ରତିଉତ୍ତରରେ ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଉ କହିଛନ୍ତି ଉକ୍ତ ସାଇଟ୍କୁ ବ୍ଲକ୍ କରିବା ଠାରୁ ଅଧିକ ବଡ଼ କଥା ହେଉଛି ତାକୁ ପ୍ରସ୍ତୁତ କରିଥିବା ଅପରାଧୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ । ସାଂସଦ ଚତୁର୍ବେଦୀଙ୍କ ଅନୁରୋଧକ୍ରମେ ମୁମ୍ବାଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଆପ୍ର ନିଲାମ ତାଲିକାଭୁକ୍ତ ହୋଇଥିବା ଅନ୍ୟତମ ମହିଳା ଇସ୍ମାତ୍ ଆରା ନାମ୍ନୀ ଜଣେ ସାମ୍ବାଦିକା ରୁଜୁ କରିଥିବା ମାମଲାକୁ ଅଗ୍ରାଧିକାର ଦେଇ ଦିଲ୍ଲୀ ପୋଲିସ ତଦନ୍ତ ଆରମ୍ଭ କରିଛି ।