ବ୍ରୁସଲେସ: ଉତ୍ତର ଆଣ୍ଟଲାଟିକ ଟ୍ରିଟି ସଂଗଠନ (NATO)ରେ ମିଶିବା ପାଇଁ ବିଧିବଦ୍ଧ ଭାବେ ଆବେଦନପତ୍ର ଦାଖଲ କଲେ ଦୁଇ ଇଚ୍ଛୁକ ରାଷ୍ଟ୍ର ସ୍ବିଡେନ ଓ ଫିନଲ୍ୟାଣ୍ଡ । ଆଜି ଉଭୟ ରାଷ୍ଟ୍ରର ପ୍ରତିନିଧି ତଥା ରାଷ୍ଟ୍ରଦୂତ ବେଲଜିୟମ ରାଜଧାନୀ ବ୍ରୁସୱେସରେ ଥିବା ନାଟୋ ମୁଖ୍ୟାଳୟରେ ମହାସଚିବ ଜେନସ ଷ୍ଟୋଲଟେନବର୍ଗ (Jens Stoltenberg) ଙ୍କ ନିକଟରେ ଏହି ଆବେଦନପତ୍ର ଦାଖଲ କରିଛନ୍ତି । ଋଷର ୟୁକ୍ରେନ ଆକ୍ରମଣ ପରେ ଉଭୟ ୟୁରୋପୀୟ ରାଷ୍ଟ୍ର ସାମରିକ ମେଣ୍ଟ NATO ରେ ସାମିଲ ହେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଗତ କିଛି ଦିନ ପୂର୍ବରୁ ଉଭୟ ରାଷ୍ଟ୍ର ଏନେଇ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଥିବା ଘୋଷଣା ମଧ୍ୟ କରିଥିଲେ । ତେବେ ଆଜି ସେମାନେ ବିଧିବଦ୍ଧ ଭାବେ ଆବେଦନପତ୍ର ଦାଖଲ କରିଛନ୍ତି ।
ଅନ୍ୟପଟେ ସୂଚନା ମିଳିଛି ଯେ, ଉଭୟ ରାଷ୍ଟ୍ରର ଆବେଦନ ନେଇ ନାଟୋ ମଧ୍ୟ ସକରାତ୍ମକ ଆଭିମୁଖ୍ୟ ପୋଷଣ କରିପାରେ । NATO ମହାସଚିବ ଏହି ଦୁଇ ପ୍ରତିନିଧିଙ୍କୁ ସ୍ବାଗତ ମଧ୍ଯ କରିଛନ୍ତି । ଏହା ଏକ ଗୁରୁତ୍ବପୂର୍ଣ୍ଣ ଦିନ । ଅନ୍ୟ ସମସ୍ତ ନାଟୋ ସହଯୋଗୀ ମଧ୍ୟ ଏହି ପ୍ରସ୍ତାବରେ ସମର୍ଥନ ଜଣାଇଥିବା ମହାସଚିବ ଜେନସ ଷ୍ଟୋଲଟେନବର୍ଗ ସୂଚନା ଦେଇଛନ୍ତି ।