ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ କୋର୍ଟରେ ହାଜର ହେଲେ ଚର୍ଚ୍ଚିତ ସିନେ ନିର୍ମାତା ଓ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ । 2018 ମସିହାର ଏହି ମାମଲାରେ ସେ ଆଜି(ସୋମବାର) ଦିଲ୍ଲୀ ହାଇକୋର୍ଟରେ ହାଜର ହୋଇଛନ୍ତି । ପୂର୍ବରୁ ତାଙ୍କୁ ମାର୍ଚ୍ଚ 16 ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ସେ ନିର୍ଦ୍ଦିଷ୍ଟ କାରଣ ଦର୍ଶାଇ ହାଜର ହୋଇନଥିଲେ । ପରବର୍ତ୍ତୀ ସମୟରେ ସେ ଅନ୍ୟ ଏକ ତାରିଖ ପାଇଁ କୋର୍ଟଙ୍କୁ ନିବେଦନ କରିଥିଲେ । ପରେ କୋର୍ଟ ତାଙ୍କୁ ପୁନର୍ବାର ଏପ୍ରିଲ 10 ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାରେ ସେ କ୍ଷମା ମଧ୍ୟ ପ୍ରାର୍ଥନା କରିସାରିଥିଲେ ସୁଦ୍ଧା ତାଙ୍କୁ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
କ‘ଣ ଏହି ମାମଲା:2018 ମସିହାରେ ବିବେକ ଅଗ୍ନିହୋତ୍ରୀ ଜଷ୍ଟିସ୍ ଏସ୍ ମୁରଲୀଧର (ବର୍ତ୍ତମାନର ଓଡିଶା ହାଇକୋର୍ଟର ମୁଖ୍ଯ ବିଚାରପତି)ଙ୍କ ବିରୋଧରେ ପକ୍ଷପାତିତା ଅଭିଯୋଗ ଆଣିଥିଲେ । ଭୀମା କୋରେଗାଓଁ ହିଂସା ମାମଲାରେ ସାମାଜିକ କାର୍ଯ୍ୟକର୍ତ୍ତା ଗୌତମ ନବଲାଖାଙ୍କୁ ଜଷ୍ଟିସ୍ ଏସ୍ ମୁରଲୀଧର ଅନୁକମ୍ପା ଦେଖାଇଥିବା ଅଗ୍ନିହୋତ୍ରୀ ଅଭିଯୋଗ କରିଥିଲେ । ମାମଲାର ତତ୍କାଳୀନ ଅଭିଯୁକ୍ତ ଗୌତମ ନବଲାଖାଙ୍କ ନଜରବନ୍ଦୀ ଏବଂ ଟ୍ରାଞ୍ଜିଟ ରିମାଣ୍ଡକୁ କୋର୍ଟ ଖାରଜ କରିଦେବା ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ।
ଏ ରାୟ ସମ୍ପର୍କରେ ଜଷ୍ଟିସ୍ ଏସ୍ ମୁରଲିଧରଙ୍କୁ ପକ୍ଷପାତିତା ଅଭିଯୋଗ କରି ଅଗ୍ନିହୋତ୍ରୀ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହି ସମାଲୋଚନା ପାଇଁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ସେ ନିଜ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ । ହେଲେ ତାଙ୍କୁ ଅଦାଲତ ଅବମାନନା ଅଭିଯୋଗରେ ହାଜର ହେବା ପାଇଁ ନିର୍ଦ୍ଦେଶ ମିଳିଥିଲା । ଏଠରେ ଉଲ୍ଲଖ୍ୟଯୋଗ୍ଯ ଯେ, ଏବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ମୁରଲୀଧର 2006ରୁ 2020 ପର୍ଯ୍ୟନ୍ତ ଦିଲ୍ଲୀ ହାଇକୋର୍ଟରେ କାର୍ଯ୍ୟରତ ଥିଲେ ।