ଡେରାଡୁନ:କୌଣସି କାରଣରୁ ବଚସା ହେବା ପରେ ରାସ୍ତାରେ ଯୁବକଙ୍କୁ ଗୋଡାଇ ଗୋଡାଇ ପିଟିଲେ ଉତ୍ତରାଖଣ୍ଡ ଅର୍ଥମନ୍ତ୍ରୀ ପ୍ରେମଚାନ୍ଦ ଅଗ୍ରଓ୍ବାଲ ଓ ତାଙ୍କ ସୁରକ୍ଷାକର୍ମୀ । ଋଶିକେଶରେ ମନ୍ତ୍ରୀ କୌଣସି କାର୍ଯ୍ୟରେ ଯାଉଥିବା ବେଳେ କୌଣସି କାରଣରୁ ଜଣେ ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା । ଯୁବକଙ୍କୁ ମନ୍ତ୍ରୀ ନିଜେ ମାଡ ମାରିବା ସହ ତାଙ୍କ ସୁରକ୍ଷାରେ ଥିବା ପୋଲିସ ଅଧିକାରୀ ମାଡ ମାରିଥିବା ଭିଡିଓ ଭାଇରାଲ ହେଉଛି । ଯୁବକଜଣଙ୍କ ସ୍ଥାନୀୟ ଅଞ୍ଚଳର ସୁରେନ୍ଦ୍ର ସିଂ ନେଗୀ ଓ ସେ ମନ୍ତ୍ରୀଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇଥିବା ସୋସିଆଲ ମିଡିଆରେ ଅଭିଯୋଗ କରିଛନ୍ତି । ଏହା ପରେ ମନ୍ତ୍ରୀ ପ୍ରେମଚାନ୍ଦ ମଧ୍ୟ ତାଙ୍କୁ ଦୁର୍ବବ୍ୟବହାର ଓ ଆକ୍ରମଣ କରାଯାଇଥିବା ପାଲଟା ଅଭିଯୋଗ କରିଛନ୍ତି । ଘଟଣାରେ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।
ଭାଇରାଲ ହେଉଥିବା ଭିଡିଓ ଅନୁସାରେ, ଏକ ଟୟୋଟା କାରରେ ମନ୍ତ୍ରୀ ପ୍ରମଚାନ୍ଦ ଯାଉଥିବା ବେଳେ କୌଣସି କାରଣରୁ ଏହି ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା । ଯୁବକଜଣଙ୍କୁ ମନ୍ତ୍ରୀ ପ୍ରେମଚାନ୍ଦ ପ୍ରଥମେ ଏକ ଚାପୁଡା ପକାଇଥିଲେ । ପରେ ତାଙ୍କ ସହ ଥିବା ତାଙ୍କ ସୁରକ୍ଷାକର୍ମୀ ଯୁବକ ଓ ତାଙ୍କର ଜଣେ ସହଯୋଗୀଙ୍କୁ ନିର୍ଧୁମ ମାଡ ମାରିଥିଲେ । ଏମିତିକି ମନ୍ତ୍ରୀ ପ୍ରେମଚାନ୍ଦ ଓ ସମ୍ପୃକ୍ତ ପୋଲିସ ଅଧିକାରୀ ଯୁବକଜଣଙ୍କୁ କିଛି ବାଟ ମାଡ ମାରି ଘୋଷାଡି ନେଇଥିଲେ । ମନ୍ତ୍ରୀଙ୍କ ସହ ଉପସ୍ଥିତ କିଛି ସମର୍ଥକ ମଧ୍ୟ ସମ୍ପୃକ୍ତ ଯୁବକଙ୍କୁ ମାଡ ମାରିବାକୁ ପଛାଇ ନଥିଲେ ।