ଗୌହାଟୀ:ନିର୍ବନ୍ଧ ସରିଥିଲା । ଆଉ ଦିନ କେଇଟା ପରେ ସାତଜନ୍ମର ସାଥୀ ହୋଇଥାନ୍ତେ । ହାତ ଧରି ସୁଖଦୁଃଖରେ ପରସ୍ପରର ସମସ୍ୟା ସମାଧାନ କରିଥାନ୍ତେ । ହେଲେ କଣ ଏମିତ ହେଲା ନିଜ ଭାବୀସ୍ବାମୀଙ୍କୁ ଗିରଫ କଲେ ଜଣେ ମହିଳା ପୋଲିସ । ଏପରି ଘଟଣା ଘଟିଛି ଆସାମରେ ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।
କଣ ପୂରା ଘଟଣା...
ସୂଚନାଅନୁଯାୟୀ ଆସାମ ନଅଗାଁ ଥାନାରେ ସବଇନ୍ସପେକ୍ଟର ଅଛନ୍ତି ଜୁନମୋନି ରାଭା । ରାନା ପେଗାଗଙ୍କ ସହ ତାଙ୍କର ଅକ୍ଟୋବର 8ରେ ନିର୍ବନ୍ଧ ହୋଇଥିଲା । ଆସନ୍ତା ନଭେମ୍ବରେ ଉଭୟଙ୍କ ବାହାଘର ହେବାର ଥିଲା । ରାନା ପେଗାଗ ନିଜକୁ ଓଏମଜିସିର ଲୋକସମ୍ପର୍କ ଅଧିକାରୀ ପରିଚିୟ ଦେଇ ଚାକିରି କରେଇଦେବା ନାଁ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଥିଲା । ଲୋକଙ୍କଠୁ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ଭାବୀ ସ୍ବାମୀଙ୍କ ଗିରଫ କରିଛନ୍ତି ମହିଳା ପୋଲିସ ଅଧିକାରୀ ଜୁନମୋନି ରାଭା । ଏହା ସହିତ ତାଙ୍କଠୁ ଜାଲ ସିଲ ସହ ମିଥ୍ୟା ପରିଚୟ ପତ୍ର ଓ ଅନ୍ୟାନ ଦସ୍ତାବିଜ ଜବତ ହୋଇଛି ।
ଏ ଘଟଣା ନେଇ ଜୁନମୋନି ରାଭା କହିଛନ୍ତି, ''ମୁଁ ତାଙ୍କୁ ଜାନୁଆରୀ 2021ରେ ଭେଟିଥିଲି । ସେ ମୋତେ ବିବାହ ପ୍ରସ୍ତାବ ଦେଇଥିଲେ । ପରିବାର ଲୋକଙ୍କ ସହମତି ପରେ ଆମର ନିର୍ବନ୍ଧ ହୋଇଥିଲା । ମୁଁ ନୂଆ କରି ନଅଗାଁରେ ନିଯୁକ୍ତି ପାଇଥିଲି। ଧିରେ ଧିରେ ରାଣାଙ୍କ କାର୍ଯ୍ୟକୁ ନେଇ ମୋତେ ସନ୍ଦେହ ହୋଇଥିବା କହିଛନ୍ତି ରାଭା । ସେ ଆହୁରି କହିଛନ୍ତି ମୁଁ ବହୁତ ଭାଗ୍ୟବାନ ଯେ ଘଟଣା ସମ୍ପର୍କରେ ଆଗୁଆ ଜାଣିପାରିଲି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ