ଅମରାବତୀ:ମୃତଦେହକୁ କାନ୍ଧ ଦେଲେ ଜଣେ ମହିଳା ପୋଲିସ ସବ-ଇନ୍ସିପେକ୍ଟର । ମୃତଦେହକୁ କାନ୍ଧେଇ ୫ କିଲୋମିଟର ଜଙ୍ଗଲ ପାରି ହେଲେ । ଏପରି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ପ୍ରକାଶମ ଜିଲ୍ଲା ହିଜାପୁରମ ଗ୍ରାମରେ । ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଠାବ ହୋଇଥିଲା । ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା ।
ସୂଚନାଅନୁସାରେ, ଗାଁ ପଶୁପାଳକମାନେ ପ୍ରତିଦିନ ପରି ଜଙ୍ଗଲକୁ ପଶୁ ଚରାଇବା ପାଇଁ ଯାଇଥିଲେ । ସେଠାରେ ଜଣେ ବ୍ୟକ୍ତିଙ୍କର ମୃତଦେହ ପଡିଥିବା ଦେଖିଥିଲେ । ଏହାପରେ ତତକ୍ଷଣାତ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ଭିଗିଲାଣ୍ଟ କାନିଗିରି ସିଆଇ ପାପାରାଓ ଓ ହନୁମାନଥୁନିପାଡୁ ଥାନାରେ ମହିଳା ଏସଆଇ ପାବନୀ ସିରଶା ସେଠାରେ ପହଞ୍ଚିଥିଲେ । ମୃତଦେହଟି ସମ୍ପୂର୍ଣ୍ଣ ପଚି ଯାଇଥିବାରୁ ସେଥିରୁ ଦୁର୍ଗନ୍ଧ ବାହାରୁଥିଲା । ସମସ୍ତେ ଖାଲି ଦେଖୁଥିଲେ ହେଲେ କେହି ବି ମୃତଦେହକୁ ଜଙ୍ଗଲରୁ ରାସ୍ତାକୁ ଆଣିବାକୁ ଆଗେଇ ଆସିନଥିଲେ । ଏପରି ସ୍ଥିତିରେ ଏସଆଇ ପାବନୀ ସିରଶା ଅନ୍ୟଜଣଙ୍କ ସହାୟତାରେ ବାଉଁଶରେ ଝୁଲାଇ ଗଳିତ ମୃତଦେହକୁ କାନ୍ଧେଇ ୫ କିଲୋମିଟର ଜଙ୍ଗଲ ରାସ୍ତା ପାରି ହୋଇଥିଲେ ।