ରାଞ୍ଚି:କାଳ ହେଲା ସ୍ତ୍ରୀର ଚରିତ୍ର ସନ୍ଦେହ । ଦେଢ ବର୍ଷର ଝିଅକୁ ଡ୍ୟାମରେ ଫିଙ୍ଗି ମାରିଲା ବାପା । ନିଜ ସ୍ତ୍ରୀର ଅନ୍ୟ ପୁରୁଷ ସହ ପରକିୟା ପ୍ରୀତି ଥିବା ସନ୍ଦେହରେ ନିଜ ଦେଢ ବର୍ଷର ଝିଅକୁ ଡ୍ୟାମରେ ଫିଙ୍ଗି ମାରିଲା ବାପା । ଏମିତି ଏକ ଚ୍ୟାଞ୍ଚଲ୍ୟକର ଘଟଣା ଏବେ ଝାଡଖଣ୍ଡ ରାଜଧାନୀ ରାଞ୍ଚିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି (Father throws daughter in Dhurwa Dam in Ranch)। ସହରର ଜଗନ୍ନାଥପୁର ପୋଲିସ ଷ୍ଟେସନ ଅଞ୍ଚଳରେ ରହୁଥିବା ଜଣେ ଯୁବକ ନିଜର ସ୍ତ୍ରୀର ଚରିତ୍ର ଓ ଶିଶୁ କନ୍ୟାର ପିତୃତ୍ବ ଉପରେ ସନ୍ଦେହ କରି ନିଜ ଦେଢବର୍ଷର କନ୍ୟା ସନ୍ତାନକୁ ନିକଟସ୍ଥ ଧୁରୱା ଡ୍ୟାମରେ ଫିଙ୍ଗି ହତ୍ୟା କରିଛି ।
ସ୍ତ୍ରୀର ଚରିଚ୍ରକୁ ସନ୍ଦେହ, ଦେଢ ବର୍ଷର ଝିଅକୁ ଡ୍ୟାମରେ ଫିଙ୍ଗି ମାରିଲା ବାପା ତେବେ ଅଭିଯୋଗ ପରେ ତଦନ୍ତରୁ ସୂଚନା ପାଇଁ ସ୍ଥାନୀୟ ପ୍ରଶାସନ, ପୋଲିସ ଓ ଏନଡିଆରଏଫ ଟିମ ଡ୍ୟାମରେ ବହୁ ଖୋଜାଖୋଜି କରୁିଥିଲେ । ପରେ ଶିଶୁ କନ୍ୟାଟିର ମୃତଦେହ ଡ୍ୟାମରୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ସ୍ଥାନୀୟ ଡିଏସପି ରାଜ କୁମାର ମିତ୍ର, ମୃତଦେହ ଉଦ୍ଧାର ହୋଇଥିବା ଓ ମାମଲାର ତଦନ୍ତ ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି । ସମ୍ପୃକ୍ତ ଯୁବକଙ୍କୁ ଗିରଫ କରାଯାଇଛି ଓ ତାର ନାମ ଅମିତ କୁମାର ବୋଲି ସ୍ପଷ୍ଟ ହୋଇଥିବା ସ୍ଥାନୀୟ ପୋଲିସ ଡିଏସପି କହିଛନ୍ତି ।
ପତ୍ନୀର ଅବୈଧ ସମ୍ପର୍କ ସନ୍ଦେହ ନେଇ ଥିଲା କଳହ :
ଅଭିଯୁକ୍ତ ଅମିତ ନିଜ ସ୍ତ୍ରୀର ଅନ୍ୟ ଜଣେ ପୁରୁଷ ସହ ଅବୈଧ ସମ୍ପର୍କ ଥିବା ନେଇ ସନ୍ଦେହ କରୁଥିଲା । ଉଭୟ ଦମ୍ପତିଙ୍କ ମଧ୍ୟରେ ଏହି ସନ୍ଦେହକୁ ନେଇ ବିଭିନ୍ନ ସମୟରେ ଝଗଡା ମଧ୍ୟ ହେଉଥିଲା । କନ୍ୟା ସନ୍ତାନଟି ନିଜର ନୁହେଁ ବୋଲି ଭାବିଥିଲା ଅଭିଯୁକ୍ତ ଅମିତ । ତେଣୁ ତାକୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲା । ଶେଷରେ ସମୟ ଦେଖି ଶିଶୁ କନ୍ୟାକୁ ନିକଟରେ ଥିବା ଏକ ଡ୍ୟାମରେ ଫିଙ୍ଗି ଦେଇ ଚାଲି ଆସିଥିଲା । ଶିଶୁଟି କେଉଁଆଡେ ନିଖୋଜ ହୋଇଯାଇ ଥିବା ନେଇ ମଧ୍ୟ ପତ୍ନୀ ନିକଟରେ ଛଳନା କରିଥିଲା ।
ଗତ ଦୁଇ ଦିନ ନିଖୋଜ ଥିଲା ଶିଶୁ :
ପରେ ଉଭୟ ଦମ୍ପତି ଶିଶୁର ନିଖୋଜ ନେଇ ନିକଟସ୍ଥ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ଏତାଲା ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ବିଭିନ୍ନ ଦିଗରୁ ଦମ୍ପତିଙ୍କ ମଧ୍ୟରେ ଥିବା ତିକ୍ତତାପୂର୍ଣ୍ଣ ସମ୍ପର୍କ କାରଣରୁ ପତି ଅମିତ ଉପରେ ସନ୍ଦେହ ହୋଇଥିଲା । ଅମିତକୁ ଜେରା ପରେ ସେ ହିଁ ଏହି ହତ୍ୟାକାଣ୍ଡ ଘଟାଇଥିବା ଓ ସମ୍ପୂର୍ଣ୍ଣ ଘଟଣା ନେଇ ପୋଲିସ ସୂଚନା ପାଇଥିଲା । ଡ୍ୟାମରେ ଏକାଧିକ ଘଣ୍ଟା ଖୋଜାଖୋଜି କରିବା ପରେ ପୋଲିସ ଓ ଉଦ୍ଧାରକାରୀ ଦଳ ଶିଶୁକନ୍ୟାଟିର ମୃତଦେହ ଉଦ୍ଧାର କରିଛନ୍ତି । ଅଭିଯୁକ୍ତ ବାପାକୁ ଗିରଫ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ