ଲକ୍ଷ୍ନୌ: କୁହାଯାଏ ବାପା-ଝିଅଙ୍କ ସମ୍ପର୍କ ସବୁଠୁ ମଧୁର । ଝିଅ ଜନ୍ମ ହେଉ ହେଉ ବାପା ନିଜ ଝିଅକୁ ନେଇ ନିଜ ମନରେ କାହିଁ କେତେ ସ୍ବପ୍ନ ସଜାଇଥାଏ । ନିଜ ଝିଅକୁ ସବୁ ଖୁସି ଦେବାକୁ ସବୁବେଳେ ଚେଷ୍ଟା କରିଥାଏ ବାପା । କିନ୍ତୁ ଝିଅ ବଞ୍ଚି ଥାଉଥାଉ ନିଜ ବାପା ତାର ପିଣ୍ଡଦାନ କରିଦେବା ଆପଣ କେବେ ଶୁଣିଛନ୍ତି କି ? କିଛି ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଔରାୟା ଅଞ୍ଚଳରୁ । ଝିଅ ନିଜ ଇଚ୍ଛାରେ ପ୍ରେମ ବିବାହ କରିବାରୁ ବାପା ଝିଅର ଅନ୍ତିମ ସଂସ୍କାର କରିବା ସହ ଝିଅ ନାଁରେ ପିଣ୍ଡଦାନ କରିଛି ।
ସୂଚନା ଅନୁସାରେ ଉତ୍ତରପ୍ରଦେଶ ଔରାୟାର ଦିବ୍ୟାପୁରର ଜନୈକା ଯୁବତୀ ସେହି ଅଞ୍ଚଳର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ପରେ ଉଭୟ ଘରେ ନଜଣାଇ ମନ୍ଦିର ଯାଇ ବିବାହ କରିନେଲେ । କିନ୍ତୁ ଯେତେବେଳେ ଯୁବତୀଙ୍କ ପରିବାର ଲୋକଙ୍କୁ ଏ ବିଷୟରେ ଜଣା ପଡ଼ିଲା, ସେମାନେ ଏହାକୁ ବିରୋଧ କରିବା ସହ ଉଭୟଙ୍କ ବିବାହକୁ ସ୍ବୀକାର କରି ନଥିଲେ । ଏହି ଘଟଣା ଜାଣିବା ପରେ ଯୁବତୀଙ୍କ ଘରେ ପହଞ୍ଚି ତାଙ୍କୁ ନିଜ ସାଥିରେ ନେଇ ଯିବାକୁ ଚେଷ୍ଟା କଲା ପ୍ରେମିକ । ଫଳରେ ଉଭୟ ପକ୍ଷ ମଧ୍ୟରେ ମାରପିଟ ମଧ୍ୟ ହୋଇଥିଲା ।