ଇମ୍ଫାଲ: ଦେଶ ସେବା ପାଇଁ ସେନାରେ ଭର୍ତ୍ତି ହୋଇଥିବା ପୁଅ ହେଲା ଶହୀଦ । ଶେଷକୃତ୍ୟ ସମ୍ପନ୍ନ ବେଳେ ଶହୀଦ ପୁଅଙ୍କ ଚିତା ନିକଟରେ ଛିଡା ହୋଇ ଦେଶକୁ ଆହ୍ବାନ ଦେଲେ ଜଣେ ଗର୍ବିତ ପିତା । ‘ମୁଁ ମୋ ପୁଅର ମୃତ୍ୟୁରେ ବିଚଳିତ ନୁହଁଁ ବରଂ ଗର୍ବିତ । ମୋର ଦୁଇ ପୁଅଙ୍କୁ ଦେଶସେବା ପାଇଁ ସେନାରେ ଭର୍ତ୍ତି କରାଇଥିଲି, ଜଣେ ଆଜି ଶହୀଦ ହୋଇଗଲା, ଆଉ ଜଣେ ଏବେ ମଧ୍ୟ ଦେଶ ସେବାରେ ଲାଗିଛି । ମୁଁ ଗର୍ବିତ ଯେ,ମୋ ପୁଅ ଦେଶ ସେବା ପାଇଁ ନିଜ ରକ୍ତ ଦେଇ ତାର ସର୍ବୋଚ୍ଚ ବଳିଦାନ ଦେଇଛି ’ । ଶହୀଦଙ୍କ ଶେଷକୃତ୍ଯ ସମୟରେ ଶୋକାକୁଳ ପରିବେଶ ମଧ୍ୟରେ ଏପରି ଭାବପ୍ରବଣ ଓ ଗର୍ବିତ କରିବା ଭଳି ଭିଡିଓ ସାମ୍ନାକୁ ଆସିଛି ମଣିପୁରରୁ ।
ମିଳିଥିବା ସୂଚନା ଅନୁସାରେ, ନିଜ ପୁଅ ଚିତା ନିକଟରେ ଦେଶକୁ ଆହ୍ବାନ ଦେଉଥିବା ଏହି ସାହସୀ ପିତାଜଣକ ନିକଟରେ ଆସାମ-ମଣିପୁର ସୀମାନ୍ତରେ ମାଓବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଆସାମ ରାଇଫଲ୍ସର ଖତ୍ନେଇ କୋନିଆକଙ୍କ ନାମକ ଜଣେ ଯବାନଙ୍କ ପିତା । ଆସାମ ରାଇଫଲ୍ସରେ 46 ବାଟାଲିୟନରେ କାର୍ଯ୍ୟରତ ଥିବା ଖତ୍ନେଇ କୋନିଆକ ଗତ ଶନିବାର ମଣିପୁରର ଚୁରାଚାନ୍ଦପୁରରେ ଏକ ମାଓବାଦୀ ଆକ୍ରମଣରେ ଶହୀଦ ହୋଇଥିଲେ । ଏହି ଆକ୍ରମଣରେ ଜଣେ କମାଣ୍ଡିଂ ଅଫିସର, ତାଙ୍କ ପତ୍ନୀ ଏବଂ ପୁଅଙ୍କ ସମେତ ମୋଟ ୮ ଜଣଙ୍କର ମୃତ୍ୟୁ ଘଟିଥିଲା।