ପାଟନା : ସ୍ବାମୀ- ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ଅତି ସ୍ବାଭାବିକ । ହେଲେ କଣ ଶୁଣିଛନ୍ତି କେହି ରାଗରେ ଆସି ନିଜ ଛୁଆର କ୍ଷତି କରୁଥିବେ । ତେବେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏମିତି କିଛି ଘଟିଛି । ଜଣେ ପିଶାଚ ବାପା ନିଜ ତିନି ବର୍ଷର ନିରୀହ ଶିଶୁ ପୁତ୍ରକୁ ବିଷ ଦେଇ ମାରି ଦେଲେ । ଏବଂ ନିଜେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରି ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।
ଏହି ଘଟଣା ଘଟିଛି ବିହାରର ସମସ୍ତିପୁରରେ । ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଘଟଣାଟି ସମସ୍ତିପୁର ଜିଲ୍ଲାର ସିଂଘାଇ ଥାନା ଅନ୍ତର୍ଗତ ହରିଦିୟା ଗ୍ରାମର । କୁହାଯାଉଛି ଯେ, ଅଭିଯୁକ୍ତ ସୁନ୍ଦର ସଦାଙ୍କର ନିଜ ସ୍ତ୍ରୀଙ୍କ ସହ କିଛି ଦିନ ହେବ ପାଟିତୁଣ୍ଡ ହେଉଥିଲା । ଗତକାଲି ରାତିରେ ସୁନ୍ଦର ଘରକୁ ଆସି ନିଜ ଶିଶୁ ପୁତ୍ରକୁ ବିଷ ଦେଇ ମାରି ଦେଇଥିଲେ । ତେବେ ଏହି ଘଟଣା ଏଠାରେ ଶେଷ ହେଉ ନାହିଁ । ନିଜ ପୁଅକୁ ବିଷ ଦେବା ପରେ ନିଜେ ମଧ୍ୟ ସୁନ୍ଦର ବିଷ ପିଇ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯିବା ପରେ ଦରଭଙ୍ଗା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଏହି ଘଟଣା ଜଣାପଡ଼ିବା ପରେ ସିଂଘିଆ ଥାନାର ପୋଲିସ ଘଟଣା ସ୍ଥାନରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଛନ୍ତି । ପରେ ମୃତ ଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ସେପଟେ ପୋଲିସ ନିରୀକ୍ଷଣରେ ଥିବା ସୁନ୍ଦର ସଦାଙ୍କର ଚିକିତ୍ସା ଚାଲିଛି । ପୋଲିସ ଘଟଣାର ତଦନ୍ତରେ ଲାଗି ପଡ଼ିଛି । ସେପଟେ ଗାଁରେ ଶୋକର ଛାୟା ଖେଳି ଯାଇଛି ।