ଭୋପାଳ:ଅଲୋଡ଼ା ହେଲା ଶିଶୁପୁତ୍ର । ନବଜାତକୁ ହତ୍ୟା କଲା ବାପା । ମଧ୍ୟପ୍ରଦେଶର ବେତୁଲରେ ଘଟିଛି ଏଭଳି ସ୍ପର୍ଶକାତର ଘଟଣା । ମାତ୍ର ୧୨ ଦିନର ଶିଶୁପୁତ୍ରର ତଣ୍ଟି ଚିପି ହତ୍ୟା କରିଛି ନୃଶଂସ ବାପା । ଏହି ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଜଣକ ଫେରାର ଥିବାବେଳେ ପୋଲିସ ତାକୁ ଗିରଫ କରିଛି । ହତ୍ୟାକାଣ୍ଡର ପଛର କାରଣ ଜାଣିବା ପରେ ପୋଲିସ ମଧ୍ୟ ତାଜୁବ ହୋଇଛି । କାରଣ କନ୍ୟା ସନ୍ତାନ ପାଇଁ ଆଶା କରିଥିବା ବାପା ପୁତ୍ର ସନ୍ତାନ ଜନ୍ମ ନେଇଥିବାରୁ ତାକୁ ହତ୍ୟା କରିଛନ୍ତି ।
ଅନେକ ସମୟରେ ଆପଣ ଶିଶୁ କନ୍ୟା ଅଲୋଡ଼ା ହେଉଥିବା ଖବର ଶୁଣିଥିବେ । ହେଲେ ମଧ୍ୟପ୍ରଦେଶରେ ଘଟିଥିବା ଏହି ହତ୍ୟାକାଣ୍ଡ ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ହୃଦୟ ବିଦାରକ । ଥାନା ଅଧିକାରୀ ଆଶିଷ ସିଂ କହିଛନ୍ତି, "ଅଭିଯୁକ୍ତ ଅନିଲ ଅନେକ ସମୟରେ ମଦ୍ୟପାନ କରି ଆସୁଥିବାରୁ ଅନେକ ସମୟରେ ପରିବାରରେ ଅଶାନ୍ତି ଲାଗି ରହେ । ସେହି ଦିନ ମଧ୍ୟ ଅନିଲ ମଦ୍ୟପାନ କରି ଆସି ପିଲାଟି ଶୋଇଥିବା ଅବସ୍ଥାରେ ତାକୁ ହତ୍ୟା କରିଛି ।"
ସୂଚନା ଅନୁସାରେ, ଅନିଲ ଏବଂ ପତ୍ନୀ ରୁଚିକାଙ୍କର ପୂର୍ବରୁ ଦୁଇଟି ପୁତ୍ର ସନ୍ତାନ ରହିଛନ୍ତି । ତେଣୁ କନ୍ୟା ସନ୍ତାନ ପାଇଁ ଆଶାବାଦୀ ଥିଲା ଅନିଲ । ହେଲେ ପୁଣି ଥରେ ପୁତ୍ର ସନ୍ତାନ ଜନ୍ମ ନେବାରୁ ଅନିଲ ଅସନ୍ତୁଷ୍ଟ ଥିଲା । ଯେଉଁଥିପାଇଁ ମଦ୍ୟପାନ କରି ଆସି ଘରେ ପାଟି ତୁଣ୍ଡ ମଧ୍ୟ କରୁଥିଲା । ଆଉ ଶେଷରେ ନିଜର ୧୨ ଦିନର ପୁତ୍ର ସନ୍ତାନର ତଣ୍ଟି ଚିପି ହତ୍ୟା କରିଛି ଅନିଲ । ଏହାପରେ ସେ ଫେରାର ହୋଇଯାଇଥିଲା ।