ନୂଆଦିଲ୍ଲୀ:ଦିଲ୍ଲୀର ଜାଫରବାଦରେ ଏକ ଜଘନ୍ୟ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ସର୍ବସାଧାରଣରେ ନିଜ ଝିଅକୁ ପ୍ରେମ କରୁଥିବା ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ସହ ତାର ଦୁଇ ପୁଅ ମଧ୍ୟ ହତ୍ୟାକାଣ୍ଡରେ ସହଯୋଗ କରିଥିବା ସୂଚନା ମିଳିଛି । ସୂଚନା ପାଇବା ପରେ ଉତ୍ତର-ପୂର୍ବ ଦିଲ୍ଲୀର ଜାଫରବାଦ ପୋଲିସ ଟିମ ତଦନ୍ତ ଆରମ୍ଭ କରିଛି । ସମସ୍ତ ତିନି ଅଭିଯୁକ୍ତ ବର୍ତ୍ତମାନ ଫେରାର ରହିଛନ୍ତି । ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ନାବାଳକ ରହିଥିବା ମଧ୍ୟ ସୂତ୍ରରୁ ସୂଚନା ମିଳିଛି । ପୋଲିସ ଏକ ହତ୍ୟା ମାମଲା ଦାଖଲ କରି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଛି ।
ଆଜି ସଂଧ୍ୟାରେ ଉତ୍ତର ପୂର୍ବ ଦିଲ୍ଲୀର ଡିସିପି ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି, ହତ୍ୟାର ଶିକାର ହୋଇଥିବା ଯୁବକ 25 ବର୍ଷୀୟ ସଲମାନ ବୋଲି ଜଣାପଡିଛି । ସେ ଜାଫରବାଦର ବ୍ରହ୍ମପୁରୀର ବାସିନ୍ଦା ଥିଲେ । ଡିସିପି କହିଛନ୍ତି ଯେ ଆଜି(ସୋମବାର) ସନ୍ଧ୍ୟା ପ୍ରାୟ 5ଟା ସମୟରେ ଜାଫରବାଦ ପୋଲିସ ଷ୍ଟେସନରେ ଚୌହାନ ବାଗଡ ଗଳି ନମ୍ବର 2 ନିକଟରେ ଯୁବକଙ୍କୁ ଛୁରାମାଡ଼ କରାଯାଇଥିବା ସୂଚନା ମିଳିଛି । ସୂଚନା ପାଇବା ମାତ୍ରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ସେ ଘଟଣାସ୍ଥଳରେ ଯୁବକଙ୍କର ମୃତ୍ୟୁ ହୋଇ ଯାଇଥିଲା । ସଲମାନଙ୍କ ବେକ ଏବଂ ଛାତିରେ ଗଭୀର କ୍ଷତ ଆଘାତ ଲାଗିଥିଲା । ପୋଲିସ ମୃତଦେହ ଉଦ୍ଧାର କରି ସ୍ଥାନୀୟ ଜିଟିବି ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ଏବଂ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।