ବେଙ୍ଗାଲୁରୁ:ସନ୍ତାନକୁ ହତ୍ୟା ପାଇଁ ସୁପାରୀ । କର୍ଣ୍ଣାଟକ ହୁବାଲିରୁ ଆସିଛି ଏକ ଛାତିଥରାଇ ଦେବା ଭଳି ଘଟଣା । ପୁଅକୁ ହତ୍ୟା କରିବାକୁ ବାପା ରଚିଥିଲା ନାଟକ । ହୁବାଳିର ଜଣେ ଜଣାଶୁଣା ବ୍ୟବସାୟୀଙ୍କ ପୁଅ ନିଖୋଜ ଘଟଣାରେ ନୂଆ ଟ୍ବିଷ୍ଟ ସାମ୍ନାକୁ ଆସିଛି । ବ୍ୟବସାୟୀଙ୍କ 30 ବର୍ଷୀୟ ପୁଅ ଅଖିଲ ଜୈନ କିଛି ଦିନ ତଳୁ ନିଖୋଜ ଥିଲେ । ପୋଲିସ ଘଟଣାର ତଦନ୍ତ କରି ଏହା ଜାଣିବାକୁ ପାଇଛି ଯେ ବ୍ୟବସାୟୀ ବାପା ତାଙ୍କ ପୁଅକୁ ମାରିବା ପାଇଁ ସୁପାରି ଦେଇଥିଲେ । ଘଟଣା ପଦାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ପୋଲିସ ମୃତଦେହକୁ ଖୋଜାଖୋଜି ଜାରି ରଖିଛି ।
ବ୍ୟବସାୟୀ ଭାରତ ଜୈନଙ୍କ ପୁଅ ଅଖିଲ ଜୈନ । ଡିସେମ୍ବର ପହିଲାକୁ ଅଖିଲ ନିଖୋଜ ଥିଲେ । ଏନେଇ କେଶ୍ବାପୁର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଅଖିଲଙ୍କ ବାବାଦରେ ସୂଚନା ଯୋଗାଡ କରିବାକୁ ଲାଗିଥିଲା । ତଦନ୍ତ କାର୍ଯ୍ୟ ଯେତିକି ବଢୁଥିଲା ପୋଲିସ ହାତରେ ଆଶ୍ଚର୍ଯ୍ୟକର ତଥ୍ୟ ଲାଗୁଥିଲା । ଅନୁସନ୍ଧାନ ଆଧାରରେ ପୋଲିସ ଏହା ଜାଣିବାକୁ ପାଇଛି ଯେ ଅଖିଲ ନିଶାସକ୍ତ ରହୁଥିଲେ । ତେଣୁ ପରିବାରରେ ସବୁବେଳେ ଆଶାନ୍ତି ଲାଗି ରହୁଥିଲା । ପରିବାର ଓ ଅଖିଲଙ୍କ ଫୋନ କଲ୍ ଯାଞ୍ଚ ପରେ ଅଖିଲଙ୍କ ବାପା ଭାରତ ଜୈନ କିଛି କୁଖ୍ୟାତ ସୁପାରି କିଲରଙ୍କ ଯୋଗାଯୋଗରେ ଥିବା ପୋଲିସ ଜାଣିବାକୁ ପାଇଥିଲା । ଏହାପରେ ଭାରତ ଜୈନଙ୍କୁ ପୋଲିସ ପଚରାଉଚରା କରିଥିଲା । ପୁଅକୁ ହତ୍ୟା କରିବାକୁ ଭାରତ ସୁପାରୀ ଦେଇଥିବା ସ୍ବୀକାର କରିଥିବା ପୋଲିସ କହିଛି ।