ରାଞ୍ଚି:ମଣିଷ ସମୟର ଦାସ । ବେଳେବେଳେ ପରିସ୍ଥିତି ମଣିଷକୁ ଏଭଳି ଏକ ସ୍ଥାନରେ ଆଣି ଠିଆ କରେ ସେତେବେଳେ ନିଷ୍ପତ୍ତି ନେବା ମଧ୍ୟ କଷ୍ଟକର ହୋଇପଡେ । ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଝାରଖଣ୍ଡର ବୋଗଦରରୁ । ଘରେ ବାପାର ମୃତଦେହ ପଡି ରହିଥିବା ବେଳେ ଅନ୍ୟପଟେ ମୁଣ୍ଡ ଉପରେ ମାଟ୍ରିକ ପରୀକ୍ଷା । ଏଭଳି ପରିସ୍ଥିତିର ସାମ୍ନା କରିଛନ୍ତି ଜଣେ ମାଟ୍ରିକ ପରୀକ୍ଷାର୍ଥୀ ।
ଛାତିରେ କୋହକୁ ଚାପି ଧରି ଭବିଷ୍ୟତର ସ୍ବପ୍ନକୁ ପୂରଣ କରିବ ଭାବି ମାଟ୍ରିକ ପରୀକ୍ଷା ଦେବାକୁ ଯାଇଥିଲେ ପରୀକ୍ଷାର୍ଥୀ । ବୋର୍ଡ ପରୀକ୍ଷା ଦିନ ପିତାଙ୍କର ମୃତ୍ୟୁ ହୋଇଥିବା ବେଳେ ଛାତ୍ରୀଜଣକ ଆଖିରେ ଲୁହ ନେଇ ପରୀକ୍ଷା ଦେଇଥିବା ଖବର ସାମ୍ନାକୁ ଆସିଛି । ଉକ୍ତ ପରୀକ୍ଷାର୍ଥୀ ହେଲେ ବାଗୋଦର ପୋଲିସ ଥାନା ପରିସର ନିଶା କୁମାରୀ ।
ସୂଚନାଅନୁସାରେ, ବଗୋଦରର ହରାୟତନ୍ଦ ନିବାସୀ ଦ୍ୱାରକା ଯାଦବ ଦୀର୍ଘଦିନ ଧରି ଅସୁସ୍ଥ ରହିଥିଲେ । ତେବେ ବୁଧବାର ତାଙ୍କର ଦେହାନ୍ତ ହୋଇଥିଲା । ହେଲେ ଝିଅ ନିଶାଙ୍କର ସେଦିନ ହିନ୍ଦୀ ପରୀକ୍ଷା ରହିଥିଲା । ତେବେ ଦ୍ବାରକାଙ୍କ ମୃତ୍ୟୁ ପରେ ଘର କାନ୍ଦ ବୋବୋଳିରେ ଫାଟି ପଡିଥିବା ବେଳେ ଆତ୍ମୀୟ ସ୍ୱଜନ ମଧ୍ୟ ଘରେ ଭିଡ ଜମାଇଥିଲେ । ଏହି ସମୟରେ ନିଶାଙ୍କ ଦୁଃଖ ଦୁଇଗୁଣିତ ହୋଇଯାଇଥିଲା । ଘରର ବଡ ହୋଇଥିବାରୁ ପରିବାରର ଦାୟିତ୍ବ ମଧ୍ୟ ମୁଣ୍ଡ ଉପରେ ରହିଥିଲା । ହେଲେ ଭବିଷ୍ୟତକୁ ଆଖି ଆଗରେ ରଖି ନିଶା ପରୀକ୍ଷା ଦେବା ପାଇଁ କେନ୍ଦ୍ରକୁ ଯାଇଥିଲେ ।