ଗୌହାଟୀ: ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପରିବାରର ୫ ଜଣଙ୍କୁ ଗିରଫ କଲା ପୋଲିସ । ଆସାମର ଡିଫୁ ଜିଲ୍ଲାର ବକଳିଆଘାଟ ଅଞ୍ଚଳର ଏଭଳି ଘଟଣା ଦେଖିବାକୁ ମିଳିଛି । ନାବାଳିକା ଜଣକ ଗର୍ଭବତୀ ଥିବାବେଳେ ଗର୍ଭପାତ କରିବା ପାଇଁ ଏକ ଇଞ୍ଜେକ୍ସନ ନେବାପରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ବାପା ସମେତ ପରିବାରର ଅନ୍ୟ ସଦସ୍ୟମାନେ ନାବାଳିକାଙ୍କ ମୃତଦେହକୁ ଗ୍ରାମର ଆଖୁ ବିଲରେ ପୋତି ଦେଇଥିଲେ।
ସୂଚନା ଅନୁଯାୟୀ, ବକଳିଆଘାଟ ଗ୍ରାମର ଜଣେ ୧୬ ବର୍ଷୀୟ ନାବାଳିକା ୫ ମାସର ଗର୍ଭବତୀ ଥିଲେ । ଏହା ଜାଣିବା ପରେ ପରିବାର ଲୋକେ ସ୍ଥାନୀୟ ଔଷଧ ଦୋକାନରେ ଗର୍ଭପାତ କରିବାକୁ ନେଇଥିଲେ । ସେଠାରେ ସେ ଇଞ୍ଜେକସନ ନେବା ପରେ ତାଙ୍କର ମୃତ୍ୟୁ ଘଟିଛି । ଏହାପରେ ନାବାଳିକାଙ୍କ ବାପାଙ୍କ ସମେତ ଅନ୍ୟ ପରିବାର ସଦସ୍ୟ ଗ୍ରାମର ନିକଟସ୍ଥ ଆଖୁ ବିଲରେ ପୋତି ଦେଇଥିଲେ ।