ନୂଆଦିଲ୍ଲୀ:କେନ୍ଦ୍ର ସରକାରଙ୍କ ନିକଟରେ ନିଜ ଦାବି ଉପସ୍ଥାପନ କରିବାକୁ ସିଙ୍ଘୁ ବର୍ଡରରେ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି ଚାଷୀ । ଦୀର୍ଘ 20 କିମି ପର୍ଯ୍ୟନ୍ତ ଷ୍ଟଲ ଗୁଡିକ ଲଗାଯାଇଥିବାବେଳେ ଏବେ ସବୁଜ ଜିଲାପି ପ୍ରସ୍ତୁତ କରି ଖାଇବାକୁ ଦେଉଥିବା ଦେଖିବାକୁ ମିଳିଛି । ଶସ୍ୟର ରଙ୍ଗ ସବୁଜ । ସେଥିପାଇଁ ଆମେ ପ୍ରତିଦିନ ଲୋକଙ୍କୁ 5 କ୍ବିଣ୍ଟାଲ ଲେଖାଏଁ ସବୁଜ ରଙ୍ଗର ଜିଲାପି ଖାଇବାକୁ ଦେଉଛୁ ବୋଲି କହିଛନ୍ତି ଧାରଣାରେ ଥିବା ଚାଷୀ ।
ଅଭିନବ ପ୍ରତିବାଦ: ଦିନକୁ ଚାଷୀ ବାଣ୍ଟୁଛନ୍ତି 5 କ୍ବିଣ୍ଟାଲ ଗ୍ରୀନ ଜିଲାପି - farmer protest at singhu border
ଶସ୍ୟର ରଙ୍ଗ ସବୁଜ । ଶାନ୍ତିର ପ୍ରତୀକ ବି ସବୁଜ । ସେଥିପାଇଁ ସବୁଜ ରଙ୍ଗର ଜିଲାପି କରି ଖାଇବାକୁ ଦେଉଥିବା କହିଛନ୍ତି ସିଙ୍ଘୁ ବର୍ଡରରେ ବସିଥିବା ଚାଷୀ । ଦୀର୍ଘ 1 ମାସରୁ ଅଧିକ ସମୟ ଧରି ଧାରଣାରେ ବସିଥିବା ଚାଷୀ ନିଜ ଦାବି ଉପସ୍ଥାନ କରିବାକୁ ଭିନ୍ନ ଭିନ୍ନ ଉପାୟ ଆପଣାଉଥିବା ଦେଖିବାକୁ ମିଳିଛି ।
ସବୁଜ ରଙ୍ଗ ସବୁଜ ବିପ୍ଳବ ଓ ଶାନ୍ତିର ପ୍ରତୀକ । ଏକ ମାସରୁ ଅଧିକ ସମୟ ଧରି କେନ୍ଦ୍ର ସରକାରଙ୍କ ତିନୋଟି ନୂଆ କୃଷି ଆଇନ ବିରୋଧରେ ଆମେ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରିଆସୁଛୁ। ଯଦିଓ ସରକାର ଆମର ଦାବିକୁ ଗ୍ରହଣ କରିନାହାଁନ୍ତି, ଆମେ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ ଜାରି ରଖିବାକୁ ସ୍ଥିର କରିଛୁ ବୋଲି କହିଛନ୍ତି ଚାଷୀ ।
ସାଧାରଣତଃ କମଳା କିମ୍ବା ଲାଲ ରଙ୍ଗର ଜିଲାପି ମିଳୁଥିବାବେଳେ ସବୁଜ ରଙ୍ଗର ଜିଲାପି ଖାଇବାକୁ ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ହରିୟାଣାର ଏକ ବାହାଘର ବରଯାତ୍ରୀ ସରକାରଙ୍କ ଧ୍ୟାନ ଆକର୍ଷଣ କରିବାକୁ ଧାରଣା ସ୍ଥାନକୁ ଯାଇଛନ୍ତି । ଯେଉଁଠି ବରଯାତ୍ରୀଙ୍କୁ ମଧ୍ୟ ସବୁଜ ଜିଲାପି ପରସା ଯାଇଛି । ସେପଟେ ଚାଷୀଙ୍କୁ ମନାଇବା ଆଶାରେ ଆଜି ଦିନ 2ଟାରେ ବିଜ୍ଞାନ ଭବନରେ ବସିବ ବୈଠକ ।