ନୂଆଦିଲ୍ଲୀ: କେନ୍ଦ୍ରୀୟ କୃଷି ଆଇନ ବିରୁଦ୍ଧ ହେଉଥିବା କୃଷକ ଆନ୍ଦୋଳନକୁ ରାଜନୈତିକରଣ କରାଯାଉଛି । କୃଷି ଆଇନକୁ ନେଇ ପ୍ରକୃତ ଚାଷୀମାନେ ଖୁସି ଅଛନ୍ତି । ହେଲେ ଏହି ଆଇନ ବିରୋଧରେ ରାଜନୀତିର ଫାଇଦା ନେବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ଭିକେ ସିଂ ।
ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ କହିଛନ୍ତି ଯେ ଗତ 6 ମାସ ମଧ୍ୟରେ ପ୍ରକୃତ ଚାଷୀମାନେ ଏହାକୁ ନେଇ ଅତ୍ୟନ୍ତ ଆନନ୍ଦିତ। ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଭୟ ଦୂର କରିବାକୁ ଚେଷ୍ଟା କରି କହିଛନ୍ତି ଯେ ଚୁକ୍ତିନାମା(କଣ୍ଟ୍ରାକ୍ଟ ଫାର୍ମିଂ) ଚାଷ କେବଳ ଚାଷୀଙ୍କୁ ଉପକୃତ କରିବ। ସେ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଶ୍ଚିତ କରିଛନ୍ତି ଯେ ଚାଷୀଙ୍କୁ ସମସ୍ତ ସୁବିଧା ଲାଭ ହେବ । କୃଷକଙ୍କ ଅପେକ୍ଷା ବର୍ତ୍ତମାନର ଆନ୍ଦୋଳନ ଅଧିକ ରାଜନୈତିକ। ମୁଖ୍ୟତଃ ପଞ୍ଜାବ ଏବଂ ହରିୟାଣାର କୃଷକମାନେ ଗତ 25 ଦିନ ଧରି ଦିଲ୍ଲୀରେ ବିରୋଧ କରିଆସୁଛନ୍ତି।