ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ସାମାନ୍ୟ ଥମି ଥିବା ବେଳେ କୃଷି ଆଇନକୁ ବିରୋଧ କରି ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ । ଆଜି କୃଷକ ମାନେ ପୁଣି ଗାଜିପୁର ସୀମାରେ ପହଞ୍ଚି ନିଜର ଶକ୍ତି ପ୍ରଦର୍ଶନ କରିବା ଆରମ୍ଭ କରିଛନ୍ତି । କୃଷକ ମାନେ ଆନ୍ଦୋଳନ କରି ସାରା ଦେଶର ରାଜ୍ୟପାଳଙ୍କୁ ଭେଟି କୃଷି ଆଇନ ନେଇ ଏକ ସ୍ମାରକ ପତ୍ର ପ୍ରଦାନ କରିବେ । ଭାରତୀୟ କିଷାନ ୟୁନିଅନର ମୁଖପାତ୍ର ରାକେଶ ଟିକାୟତ ଏହା ପୂର୍ବରୁ ଘୋଷଣା କରିଛନ୍ତି ଯେ ପ୍ରତ୍ୟେକ ମାସ 26 ତାରିଖରେ ଆମେ ଆନ୍ଦୋଳନ କରିବୁ । ଯେପର୍ଯ୍ୟନ୍ତ ଆମ ଦାବି ପୂରଣ ନହେଇଛି ।
ଭାରତୀୟ କୃଷି ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୌଧୁରୀ ନରେଶ ଚିକାୟତ କହିଛନ୍ତି ଯେ, ସରକାର ଏନେଇ ତତ୍ପର ହୋଇପଡିଛନ୍ତି । 7 ମାସ ଧରି ଦେଶର ଚାଷୀମାନେ ରାସ୍ତାକୁ ଓହ୍ଲାଇଲେଣି, ହେଲେ ସରକାର ଏଥି ପ୍ରତି ତିଳେ ମାତ୍ର ଦୃଷ୍ଟି ଦେଉନାହାନ୍ତି ।
ଭାରତୀୟ କିଷାନ ୟୁନିଅନର ସୁପ୍ରିମୋ କହିଛନ୍ତି ଯେ 10 ପ୍ରତିଶତ ଲୋକଙ୍କ ମନମାନିକୁ ନେଇ 90 ପ୍ରତିଶତ ଲୋକଙ୍କୁ ଅଣଦେଖା କରିବା କଥା ନୁହେଁ । କୃଷି ମନ୍ତ୍ରୀ ଯଦି ସତରେ କୃଷି ମନ୍ତ୍ରୀ ହୋଇଥାନ୍ତେ ତେବେ ଚାଷୀଙ୍କ ସମସ୍ୟା କୌଣସି ସମୟରେ ସମାଧାନ ହୋଇପାରିଥାନ୍ତା । ମୋଦି ସରକାରରେ କୌଣସି ମନ୍ତ୍ରୀଙ୍କୁ କ୍ଷମତା ଦିଆଯାଇନାହିଁ ।