ଜୟପୁର:ପୁଣି ଆନ୍ଦୋଳନ ଚେତାବନୀ ଦେଲେ କୃଷକ ନେତା ତଥା ଭାରତୀୟ କିଷାନ ୟୁନିୟନର ମୁଖ୍ୟ ପ୍ରବକ୍ତା ରାକେଶ ଟିକାୟତ । ଆବଶ୍ଯକ ପଡିଲେ ଦେଶବ୍ୟାପୀ ଆନ୍ଦୋଳନ ହୋଇପାରେ, ଏଥିପାଇଁ କୃଷକଙ୍କୁ ଟ୍ରାକ୍ଟର ପ୍ରସ୍ତୁତ ରଖିବାକୁ ସେ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଛି । କୃଷକଙ୍କ ଦାବି ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ପୂରଣ ହୋଇପାରିନାହିଁ, ଏପରି ସ୍ଥଳେ ସରକାର ପୁଣି ଥରେ ଏକ ବିଶାଳ ଆନ୍ଦୋଳନର ସାମ୍ନା କରିପାରନ୍ତି ବୋଲି ଟିକାୟତ ରାଜସ୍ଥାନରେ ଆୟୋଜିତ ଏକ କୃଷକ ମହାପଞ୍ଚାୟତରେ ପରୋକ୍ଷ ଚେତାବନୀ ଦେଇଛନ୍ତି ।
ରାଜସ୍ଥାନର ସ୍ବାଇ ମାଧପୁରରେ ଏକ କୃଷକ ମହାପଞ୍ଚାୟତକୁ ସମ୍ବୋଧିତ କରିବା ଅବସରରେ ରାକେଶ ଟିକାୟତ କହିଛନ୍ତି, ଯଦି ଏପରି ଆବଶ୍ୟକ ପଡେ କୃଷକମାନେ ପୁଣି ନିଜର ଏକତା ପ୍ରଦର୍ଶନ କରିବେ । ଏଥିପାଇଁ କୃଷକମାନେ ସେମାନଙ୍କ ଟ୍ରାକ୍ଟର ପ୍ରସ୍ତୁତ ରଖନ୍ତୁ । ଆବଶ୍ୟକତା ଅନୁସାରେ ତାରିଖ ଓ ଅନ୍ୟାନ୍ୟ କାର୍ଯ୍ୟସୂଚୀ ଜାରି କରାଯିବ ବୋଲି କହିଛନ୍ତି ଟିକାୟତ ।