ପାଟନା:ତାମିଲନାଡୁରେ ବିହାରୀ ଓ ଉତ୍ତର ଭାରତ ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣର ଭାଇରାଲ ଭିଡିଓ ନେଇ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିହାର ପୋଲିସ । ଏହି ଆକ୍ରମଣର ଭିଡିଓଟି ତାମିଲନାଡୁରେ ଘଟିିନାହିଁ ବରଂ ବିହାରରେ ସୁଟ କରାଯାଇଛି । ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ସମେତ ମୋଟ 4 ଜଣଙ୍କୁ ବିହାର ପୋଲିସ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ରାକେଶ ରଞ୍ଜନ କୁମାର ସହ ଅନ୍ୟ ତିନି ଅଭିଯୁକ୍ତ ଅମନ କୁମାର, ମନୀଷ କଶ୍ୟପ, ଯୁବରାଜ ସିଂ ରାଜପୁତକୁ ପୋଲିସ ଗିରଫ କରି ଜେରା କରୁଛି ।
ପୋଲିସ ଅନୁସାରେ, ମୁଖ୍ୟ ଅଭିଯୁକ୍ତ ରାକେଶ କୁମାର ଗୋପାଲଗଞ୍ଜର ବାସିନ୍ଦା ଓ ସେ ହିଁ ଏହି ମିଥ୍ୟା ଭିଡିଓ ପ୍ରସ୍ତୁତ କରି ଭାଇରାଲ କରିଥିଲା । ମାର୍ଚ୍ଚ 6 ତାରିଖରେ ସେ ଜାକନପୁରରେ ଥାନା ଅଧୀନରେ ଥିବା ବେଙ୍ଗଲୀ କଲୋନୀରେ ଏକ ଘର ଭଡାରେ ନେଇ ଏହି ଭିଡିଓ ପ୍ରସ୍ତୁତ କରିଥିଲା । ଏଥିରେ ତାର ଅନ୍ୟ ଦୁଇ ବନ୍ଧୁ ତାକୁ ସହଯୋଗ କରିଥିଲେ । ଉଭୟ ରାଜ୍ୟ ତାମିଲନାଡୁ ଓ ବିହାର ପୋଲିସକୁ ସମସ୍ୟାରେ ପକାଇବା ଓ ଲୋକଙ୍କୁ ଭୟଭୀତ କରିବା ଉଦ୍ଦେଶ୍ୟରେ ଏପରି କରାଯାଇଥିବା ଅଭିଯୁକ୍ତ ପୋଲିସ ନିକଟରେ ସ୍ବୀକାର କରିଛି । ପୋଲିସ ଅଭିଯୁକ୍ତ ଠାରୁ ଏହି ସୂଚନା ପାଇବା ପରେ ଉକ୍ତ ଭଡା ଘର ମାଲିକଙ୍କୁ ମଧ୍ୟ ଅଟକ ରଖି ଜେରା କରିଥିଲା । ଭିଡିଓରେ ଦେଖାଯାଉଥିବା ଘର ତାଙ୍କର ବୋଲି ସମ୍ପୃକ୍ତ ଘର ମାଲିକ ମଧ୍ୟ ସ୍ବୀକାର କରିଥିବା ପୋଲିସ କହିଛି ।
ରାକେଶ ଏହି ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଅନ୍ୟ ଅଭିଯୁକ୍ତମାନେ ଏହାକୁ ପ୍ରସାରିତ କରିଥିଲେ । ମନୀଷ କଶ୍ୟପ ନାମକ ଅଭିଯୁକ୍ତ ଏହି ଭିଡିଓକୁ 8 ତାରିଖରେ ରିଟ୍ବିଟ କରିବା ସହ ଏକ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ ମଧ୍ୟ କରିଥିଲା । ପରେ ଏହା ସମଗ୍ର ବିହାରରେ ଭାଇରାଲ ହୋଇଥିଲା । ତାମିଲନାଡୁରେ ଥିବା ପ୍ରବାସୀ ଶ୍ରମିକଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।