ଚେନ୍ନାଇ:ଦେଶର ଅନ୍ୟତମ ବ୍ୟସ୍ତବହୁଳ ଚେନ୍ନାଇ ସେଣ୍ଟ୍ରାଲ ରେଳ ଷ୍ଟେସନରେ ବୋମା ଗୁଜବ । ଜଣେ ଦୁର୍ବୃତ୍ତ ବୋମା ଥିବା ନେଇ ଫୋନ ଯୋଗେ ଧମକ ଦେବା ପରେ ସମଗ୍ର ରେଳ ଷ୍ଟେସନରେ ଭୟର ବାତାବରଣ ଖେଳିଯାଇଥିଲା । ହାଇଆଲର୍ଟ ଜାରି କରାଯିବା ସହ ପୋଲିସ ସନ୍ଧାନୀ କୁକୁର ଓ ବୋମା ନିଷ୍କ୍ରିୟକାରୀ ଟିମ ସହ ସର୍ଚ୍ଚ ଅପରେସନ କରିଥିଲା । ହେଲେ ଘଣ୍ଟାଏ କାଳ ସର୍ଚ୍ଚ ଅପରେସନ ପରେ ଏହା ଏକ ଗୁଜବ ଥିବା ଜଣାପଡିଥିଲା । ଏପରି ଫୋନ କଲ କରିଥିବା ଅଭିଯୁକ୍ତକୁ ପୋଲିସ ଚିହ୍ନଟ କରିବା ସହ ଗିରଫ ମଧ୍ୟ କରିସାରିଛି ।
ସୂଚନା ଅନୁସାରେ, ଜଣେ ଦୁର୍ବୃତ୍ତ ସେଣ୍ଟ୍ରାଲ ରେଳ ଷ୍ଟେସନରେ ବୋମା ବିସ୍ଫୋରଣ କରାଯିବା ନେଇ ପୋଲିସ କଣ୍ଟ୍ରୋଲ ରୁମକୁ କଲ କରି ଧମକ ଦେଇଥିଲା । ରେଳ ସୁରକ୍ଷା ବଳ, ସ୍ଥାନୀୟ ପୋଲିସ ସହ ବମ ଡିସପୋଜାଲ ସ୍କ୍ବାଡ ଷ୍ଟେସନରେ ପହଞ୍ଚିଥିଲେ । ହାଇଆଲର୍ଟ ଜାରି କରାଯାଇଥିଲା । ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ । ଷ୍ଟେସନ ପରିସରର ବ୍ୟାପକ ସର୍ଚ୍ଚ ଅପରେସନ ପରେ କୌଣସି ବୋମା କିମ୍ବା ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ ହୋଇନଥିଲା । ପରେ ଏହା ଏକ ଫେକ୍ କଲ ଥିବା ନେଇ ପୋଲିସ ସ୍ପଷ୍ଟ ହେବା ସହ ଦୁର୍ବୃତ୍ତକୁ ଗିରଫ କରିବା ନେଇ ପ୍ରକ୍ରିୟା ଆରମ୍ଭ କରିଥିଲା ।
ସାଇବର ସେଲ ଜରିଆରେ ଫୋନ କଲ ଆସିଥିବା ନମ୍ବରର ଲୋକେସନ ଟ୍ରାକ କରି ପୋଲିସ ମଣିକନ୍ଦନ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ପ୍ରାଥମିକ ଭାବେ ଅଭିଯୁକ୍ତଜଣଙ୍କ ମାନସିକ ଭିନ୍ନକ୍ଷମ ହୋଇଥିବା ନେଇ ଜଣାପଡିଛି । ଅତୀତରେ ସେ ମଧ୍ୟ ଏପରି ଧମକ ଦେଇଥିବା ନେଇ ପୋଲିସ ଜାଣିବାକୁ ପାଇଛି ।