ଅହମ୍ମଦାବାଦ:ଦିନେ କଂଗ୍ରେସର ସଙ୍କଟମୋଚକ ଥିଲେ ଅହମ୍ମଦ ପଟେଲ । କେବଳ ଗୁଜୁରାଟ କଂଗ୍ରେସ ନୁହେଁ, ବରଂ ଜାତୀୟ କଂଗ୍ରେସରେ ମଧ୍ୟ ତାଙ୍କର ବେଶ୍ ଦବଦବା ରହିଥିଲା । ହେଲେ କଂଗ୍ରେସର ଏହି ବରିଷ୍ଠ ନେତାଙ୍କ ପୁଅ ଆଜି ସେହି ଦଳରେ କୋଣଠେସା ହୋଇଛନ୍ତି । ଅହମ୍ମଦ ପଟେଲଙ୍କ ନିଧନ ପରଠୁ ତାଙ୍କ ପୁଅ ଫୈଜଲ କଂଗ୍ରେସର ସଦସ୍ୟ ରହିଛନ୍ତି । ଦଳରେ ଗୁରୁଦାୟିତ୍ବ ବହନ କରିବାକୁ ଚାହୁଁଥିବା ଫୈଜଲଙ୍କୁ କିନ୍ତୁ ଦୀର୍ଘ ଦିନ ହେଲାଣି କଂଗ୍ରେସ ପକ୍ଷରୁ କୌଣସି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଉ ନାହିଁ । ଯାହା ଏବେ ଏହି ଫୈଜଲ ପଟେଲଙ୍କ ଦଳରୁ ମୋହଭଙ୍ଗ କରିଛି । ଯାହାକି ସେ କରିଥିବା ଟ୍ବିଟରୁ ବାରି ହୋଇଛି ।
ଫୈଜଲ ପଟେଲ ଟ୍ବିଟ୍ କରିଛନ୍ତି, 'ମୁଁ ଅପେକ୍ଷା କରି ଥକି ଗଲିଣି । ଉଚ୍ଚ ନେତୃବୃନ୍ଦଙ୍କ ଠାରୁ (ହାଇକମାଣ୍ଡ)ଙ୍କ ପର୍ଯ୍ୟନ୍ତ କୌଣସି ପ୍ରୋତ୍ସାହନ ମିଳୁନାହିଁ । ମୁଁ ମୋର ବିକଳ୍ପ ଖୋଲା ରଖୁଛି ।' ଫୈଜଲଙ୍କ ଏହି ଟ୍ବିଟରୁ କଂଗ୍ରେସ ପ୍ରତି ତାଙ୍କର ଅସନ୍ତୋଷ ସ୍ପଷ୍ଟ ବାରି ହେଉଛି । ଏପରିକି ସେ ହାତ ଛାଡି ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇପାରନ୍ତି ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହା ମଧ୍ୟ ସାମ୍ପ୍ରାତିକ ପରିସ୍ଥିତିରେ ଘନୀଭୂତ ହୋଇଛି । ଟ୍ବିଟରରେ ଫୈଜଲଙ୍କ ଏପରି ବିବୃତ୍ତି ପରେ ଗୁଜୁରାଟ କଂଗ୍ରେସ ମୁଖପାତ୍ର ଜୟରାଜସିଂ ପରମାରଙ୍କର ଏକ ଟ୍ବିଟ୍ ମଧ୍ୟ ସାମ୍ନାକୁ ଆସିଛି । କିଛି ଦିନ ପୂର୍ବରୁ ଗୁଜୁରାଟ କଂଗ୍ରେସ ପ୍ରତି ନିଜର ଅସନ୍ତୋଷ ଜାହିର କରିଥିବା ପରମାର ଫୈଜଲଙ୍କ ଟ୍ବିଟକୁ ନେଇ ଲେଖିଛନ୍ତି, ଏହାଦ୍ବାରା କଂଗ୍ରେସ ନେତାମାନଙ୍କୁ କୌଣସି ଫରକ୍ ପଡିବ ନାହିଁ ।