ନୂଆଦିଲ୍ଲୀ:4 ରାଜ୍ୟର ଆଜି ଭୋଟ ଗଣନା ଜାରି ରହିଥିବା ବେଳେ ଏଥିରେ କଂଗ୍ରେକୁ ଝଟକା ଲାଗିଛି । ଗଣତି ସହ ଜାରି ରହିଥିବା ପର୍ଯ୍ୟାୟକ୍ରମିକ ଟ୍ରେଣ୍ଡରେ ପଶ୍ଚିମ ରାଜ୍ୟ ରାଜସ୍ଥାନରେ ଦଳ କ୍ଷମତାରୁ ବେଦଖଲ ହେବା ପରି ପ୍ରାୟତଃ ସ୍ପଷ୍ଟ ଦୃଶ୍ୟମାନ ହେଉଛି । ଏହା ସହ ମଧ୍ୟ ପ୍ରଦେଶରେ ମଧ୍ୟ ଦଳ ବହୁମତ ଠାରୁ ବେଶ ଦୂରରେ ରହିଛି । ସବୁଠାରୁ ଅଧିକ ଚକିତ କରିଛି ଅନ୍ୟତମ କଂଗ୍ରେସ ଶାସିତ ରାଜ୍ୟ ଛତିଶଗଡର ଫଳାଫଳ ଟ୍ରେଣ୍ଡ । ଏଠାରେ ‘ଏକଜିଟ ପୋଲ’ ମଧ୍ୟ ଭୁଲ ପ୍ରମାଣିତ ହୋଇଛି । କଂଗ୍ରେସ ରାଜ୍ୟରେ ଭୂପେଶ ବଘେଲଙ୍କ ନେତୃତ୍ବରେ କ୍ଷମତା ବଜାୟ ରଖିବା ନେଇ ଯେଉଁ ଆକଳନ କରାଯାଉଥିଲା, ସେଥିରେ ବିପରୀତ କ୍ରମ ଦେଖିବାକୁ ମିଳିଛି । ରାଜ୍ୟରେ ବିଜେପି ସଂଖ୍ୟାବହୁମତର ନିକଟତର ହେବାରେ ଲାଗିଛି । ଏହାରି ମଧ୍ୟରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ବୈଠକ ଡାକିଛି । ବୁଧବାର ଦିଲ୍ଲୀରେ ଏହି ବୈଠକ ଅନୁଷ୍ଠିତ ହେବ ।
ଏକଜିଟ ପୋଲ ଆକଳନ କେବଳ ତେଲେଙ୍ଗାନାରେ କଂଗ୍ରେସ ସପକ୍ଷରେ ଯାଉଛି । ରାଜ୍ୟରେ କଂଗ୍ରେସ ଭାରତ ରାଷ୍ଟ୍ର ସମିତି (ବିଆରଏସ)କୁ ପଛରେ ପକାଇ ବହୁମତ ହାସଲ କରିବାକୁ ଯାଉଛି । ରାଜ୍ୟ ଗଠନ ହେବା ପରଠାରୁ କେସିଆରଙ୍କ ନେତୃତ୍ବରେ ଟିଆରଏସ ଓ ପରେ ବିଆରଏସ କ୍ଷମତା ବଜାୟ ରଖିଥିଲା । ଚଳିତ ଥର ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡରେ କଂଗ୍ରେସ ଆବଶ୍ୟକ ସଂଖ୍ୟା ବହୁମତ ହାସଲ କରିସାରିଛି । କଂଗ୍ରେସ କେବଳ ତେଲେଙ୍ଗାନାରେ ସରକାର ଗଠନ କରିବା ପରି ସ୍ଥିତି ଦୃଶ୍ୟମାନ ହେଉଥିବା ବେଳେ ହାତରୁ ଦୁଇ କ୍ଷମତାସୀନ ରାଜ୍ୟ ଯାଉଛି । ଛତିଶଗଡରେ ଦଳ କ୍ଷମତାରେ ଥିବା ବେଳେ ଏବେ ବିରୋଧୀ ଆସନକୁ ଆସିବାକୁ ଯାଉଛି । ସେହିପରି ମଧ୍ୟ ପ୍ରଦେଶରେ ଦଳ କମଲନାଥଙ୍କ ନେତୃତ୍ବରେ ସରକାର ଗଢିବା ନେଇ ଯେଉଁ ଆକଳନ ପ୍ରକାଶ ପାଇଥିଲା, ସେଥିରେ ମଧ୍ୟ ଦଳ ନିରାଶ ହୋଇଛି ।