ହାଇଦ୍ରାବାଦ:ପୋଲିସ ଷ୍ଟେସନର ଫେସବୁକ ପେଜ ହ୍ୟାକ କରି ଅଶ୍ଲୀଳ ଭିଡିଓ ପୋଷ୍ଟ କଲା ହ୍ୟାକର । ହାଇଦ୍ରାବାଦ ଅସିଫନଗର ଥାନାରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଏହି ଥାନାର ଅଫିସଆଲ ଫେସବୁକ ଆକାଉଣ୍ଟ ହ୍ୟାକ କରାଯାଇଛି । ହ୍ୟାକର ଆକାଉଣ୍ଟ ହ୍ୟାକ କରି ଏଥିରେ କିଛି ଆପତ୍ତିଜନକ ଭିଡିଓ ଅପଲୋଡ କରିଥିଲା । ହ୍ୟାକ ସମ୍ପର୍କରେ ଜଣାପଡିବା ମାତ୍ରେ ପୋଲିସ ତୁରନ୍ତ ଆକାଉଣ୍ଟକୁ ଅଚଳ କରିଦେଇଥିଲା । ବୁଧବାର ରାତିରେ ଅସିଫନଗର ପୋଲିସକୁ ଏଭଳି ଜଟିଳ ସ୍ଥିତିର ସାମ୍ନା କରିବାକୁ ପଡିଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରିଛି ।
ପୋଲିସର ସୂଚନା ଅନୁସାରେ, ବୁଧବାର ରାତିରେ ଅସିଫନଗର ଥାନା କନେଷ୍ଟବଳ ରବୀନ୍ଦ୍ର ବାବୁ ଥାନାର ଅଫିସିଆଲ ଫେସବୁକ ଆକାଉଣ୍ଟ ଲଗ୍ ଇନ କରିବାକୁ ଚେଷ୍ଟା କରିଥିଲେ । ହେଲେ ଲଗ୍ ଇନ ହୋଇନଥିଲା । ଇଣ୍ଟରନେଟ ସମସ୍ୟା ଥିବା ଭାବି ସେ କିଛି ସମୟ ଅପେକ୍ଷା କରି ପୁଣିଥରେ ଚେକ୍ କରିଥିଲେ । କିନ୍ତୁ ପେଜ୍ ଖୋଲି ନଥିଲା । ବାରମ୍ବାର ଲଗ୍ ଇନ କରିବା ପରେ ନ ଖୋଲିବାରୁ ସେ ନିଜ ଫୋନରେ ଥାନାର ଫେସବୁକ ଆକାଉଣ୍ଟ ଯାଇ ଦେଖିଥିଲେ । ସେତେବେଳକୁ ଆକାଉଣ୍ଟରୁ ୫ଟି ଅଶ୍ଳୀଳ ଭିଡିଓ ପୋଷ୍ଟ କରାଯାଇ ସାରିଥିଲା । ଏନେଇ ସଙ୍ଗେ ସଙ୍ଗେ କନେଷ୍ଟବଳ ନିଜ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଥିଲେ । ଯାଞ୍ଚ ପରେ ଫେସବୁକ ଆକାଉଣ୍ଟ କେହି ହ୍ୟାକ କରିଥିବା ଜଣାପଡିଥିଲା ।