ଆଲେଖ୍ୟ: ବିବେକ କେ. ଅଗ୍ନିହୋତ୍ରୀ, IAS (ଅବସରପ୍ରାପ୍ତ)
ପୂର୍ବତନ ମହାସଚିବ, ରାଜ୍ୟସଭା
vkagnihotri25@gmail.com
ହାଇଦ୍ରାବାଦ:ବହୁଚର୍ଚ୍ଚିତ ସଂସଦରେ ପ୍ରଶ୍ନ ପାଇଁ ଟଙ୍କା (କ୍ୟାସ ଫର କ୍ବାରୀ) ମାମଲାରେ ସଂସଦ ସଦାଚାର କମିଟି ରିପୋର୍ଟ ଅନୁସାରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ଲୋକସଭା ସଦସ୍ୟତା ରଦ୍ଦ କରିଛନ୍ତି ବାଚସ୍ପତି ଓମ ବିର୍ଲା । ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଦ୍ବାରା ଆଗତ ହୋଇଥିବା ବରଖାସ୍ତ ପ୍ରସ୍ତାବରେ ବିରୋଧୀଙ୍କ ଗୃହତ୍ୟାଗ ମଧ୍ୟରେ ବାଚନିକ ଭୋଟ ମାଧ୍ୟମରେ ବାଚସ୍ପତି ବିର୍ଲା ଏହି ପ୍ରସ୍ତାବକୁ ପାରିତ କରାଇଛନ୍ତି । ଏପରିକି ପୂର୍ବ ପରମ୍ପରାର ଅନୁସରଣ କରି ମୋଇତ୍ରାଙ୍କୁ ଲୋକସଭାରେ ପକ୍ଷ ରଖିବା ପାଇଁ ମଧ୍ୟ ଅନୁମତି ମିଳିନଥିଲା ।
ଶିଳ୍ପପତି ଦର୍ଶନ ହୀରନନ୍ଦାନୀଙ୍କ ବ୍ୟବସାୟିକ ସ୍ବାର୍ଥ ସମ୍ବଳିତ ପ୍ରଶ୍ନ ଲୋକସଭାରେ ପଚାରିବା ପାଇଁ ମହୁଆ ତାଙ୍କ ବ୍ୟବସାୟ ସଂସ୍ଥାଠାରୁ ଟଙ୍କା ଓ ଉପହାର ନେଇଥିବା ନେଇ ପ୍ରଥମେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଅଭିଯୋଗ କରିଥିଲେ । ସେ ତାଙ୍କ ସଂସଦ ଓ୍ବେବସାଇଟ ଲଗ-ଇନ ଡିଟେଲ୍ସ ମଧ୍ୟ ହୀରାନନ୍ଦାନୀଙ୍କୁ ପ୍ରଦାନ କରିଥିବା ଅଭିଯୋଗ ହୋଇଥିଲା । ଏହି ଗମ୍ଭୀର ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ସେ ବାଚସ୍ପତିଙ୍କୁ ଚିଠି ଲେଖିଥିଲେ । ପରେ ଏହି ଅଭିଯୋଗର ତଦନ୍ତ ବାଚସ୍ପତି ବିର୍ଲା ସଂସଦ ସଦାଚାର କିମିଟି ନିକଟରେ ନ୍ୟସ୍ତ କରିଥିଲେ । ତେବେ କମିଟି ଉଭୟ ଅଭିଯୋଗକାରୀ ସାଂସଦ ଦୁବେ ଓ ସାଂସଦ ମୋଇତ୍ରା ଓ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ପକ୍ଷ ଶୁଣିବା ପରେ ଗତମାସ ନଭେମ୍ବର 9 ତାରିଖରେ ଲୋକସଭା ବାଚସ୍ପତିଙ୍କୁ ରିପୋର୍ଟ ପ୍ରଦାନ କରିଥିଲା ।
ଯଦି, କିଛି ସମୟ ପାଇଁ, ଉପହାର ଓ ନଗଦ ଟଙ୍କା ଗ୍ରହଣ ପ୍ରସଙ୍ଗକୁ ତର୍କରୁ ପୃଥକ ରଖାଯାଏ, ତେବେ ଜଣେ ନିର୍ବାଚିତ ସାଂସଦ ପ୍ରତିନିଧିତ୍ବ କରୁଥିବା ନିଜ ସଂସଦୀୟ କ୍ଷେତ୍ର ସହ ଜଡିତ ପ୍ରଶ୍ନ ଗୃହରେ ଉଠାଇବା ମାମଲାରେ ତାଙ୍କୁ ସଦନ ଦାୟୀ କରିପାରିବ ନାହିଁ । ମାତ୍ର ଅନ୍ୟ କିଛି ପ୍ରସଙ୍ଗରେ କିଛି ନିୟମ ରହିଛି । ସର୍ବପ୍ରଥମେ, ନିର୍ବାଚିତ ହେବା ପରେ ସଂସଦର ଜଣେ ସଦସ୍ୟଙ୍କୁ ତାଙ୍କର ବୃତ୍ତିଗତ ଓ ସେ ଜଡିତ ଥିବା ବ୍ୟବସାୟିକ କ୍ଷେତ୍ର ସମ୍ବନ୍ଧରେ ସମସ୍ତ ବିସ୍ତୃତ ବିବରଣୀ ପ୍ରଦାନ କରିବାକୁ ପଡିଥାଏ । ଏହି ତଥ୍ୟ କୌଣସି ଗୋପନୀୟ ନୁହେଁ ବରଂ ଅନ୍ୟ ସଦସ୍ୟମାନଙ୍କ ପାଇଁ ଉପଲବ୍ଧ ମଧ୍ୟ ହୋଇଥାଏ । ତେବେ ସାଂସଦ ନୁହନ୍ତି ବରଂ ସୂଚନା ଅଧିକାର ଅଧିନିୟମ-2005 ଅନୁସାରେ, ଜଣେ ସାଧାରଣ ନାଗରିକ ମଧ୍ୟ ଏହି ସମ୍ପର୍କିତ ତଥ୍ୟ ଆବଶ୍ୟକ ସ୍ଥଳେ ପାଇପାରିବ ।
ଯଦି ଜଣେ ସାଂସଦ ନିଜ ସ୍ବାର୍ଥ କିମ୍ବା ସେ ଜଡିତ ଥିବା କ୍ଷେତ୍ର ସହ ସମ୍ପର୍କିତ ପ୍ରଶ୍ନ ସଦନରେ ଉଠାନ୍ତି, ତେବେ ଏହା ପୂର୍ବରୁ ତାଙ୍କ ଏକ ଘୋଷଣାନାମା ପ୍ରଦାନ କରିବାକୁ ପଡିଥାଏ । ଉଦାହରଣ ସ୍ବରୂପ ଯଦି ଜଣେ ସଦସ୍ୟ ପେଶାରେ ଜଣେ ଆଇନଜୀବୀ ଓ ସେ ସଦନରେ ପଚାରୁଥିବା ପ୍ରଶ୍ନ ତାଙ୍କର ବୃତ୍ତିଗତ କିମ୍ବା ତାଙ୍କର କେହି ମହକିଲଙ୍କ ବ୍ୟାପାର ସହ ଜଡିତ, ତେବେ ତାଙ୍କୁ ଏକ ଘୋଷଣାନାମା ଦାଖଲ କରିବାକୁ ପଡିବ । ଯଦି କୌଣସି ସାଂସଦ କୌଣସି କମ୍ପାନୀ କିମ୍ବା ବ୍ୟବସାୟିକ ସଂସ୍ଥା ସହ ଜଡିତ ପ୍ରଶ୍ନ କରିବାକୁ ଚାହାନ୍ତି, ଉକ୍ତ କ୍ଷେତ୍ରରେ ମଧ୍ୟ ସେହି ନିୟମାବଳି ଲାଗୁ ହୋଇଥାଏ ।
ଅନ୍ୟପଟେ ରାଜ୍ୟସଭାରେ 2005 ମସିହା ଏପ୍ରିଲ 20 ତାରିଖରେ ଏହି ସମ୍ପର୍କିତ ନିୟମାବଳିକୁ ନେଇ ସଂକଳ୍ପ ମଧ୍ୟ ଗୃହୀତ ହୋଇଥିଲା । ଯେଉଁଥିରେ ଏହି ସମସ୍ତ ପ୍ରସଙ୍ଗ ସମ୍ପର୍କିତ ବ୍ୟାପାର ପାଇଁ 14 ଟି ଆଚରଣ ବିଧି ରହିଥିଲା । ଏଗୁଡିକ ମଧ୍ୟରେ ମୁଖ୍ୟତଃ ...
- 1.ଜଣେ ସଦସ୍ୟଙ୍କର ଯଦି ବ୍ୟକ୍ତିଗତ ସ୍ବାର୍ଥ୍ୟ ସମ୍ବଳିତ ପ୍ରସଙ୍ଗ ଓ ସେ ଦାୟିତ୍ବରେ ଥିବା ସରକାରୀ ପଦବୀ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି କରେ, ତେବେ ସେ ଏହାକୁ ମର୍ଯ୍ୟାଦାପୂର୍ବକ ସମାଧାନ କରିବେ । ଯେପରି ଭାବେ ତାଙ୍କ ବ୍ୟକ୍ତିଗତ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ତାଙ୍କ ଦାୟିତ୍ବ ଅଧୀନରେ ରହିପାରିବ ।
- 2. ସଦସ୍ୟମାନେ ଏମିତି କିଛି କରିବେ ନାହିଁ, ଯାହା ସଦନ ଓ ଜଣେ ଜନପ୍ରତିନିଧି ଭାବେ ତାଙ୍କ ବ୍ୟକ୍ତିଗତ ବିଶ୍ବସନୀୟତାକୁ ପ୍ରଭାବିତ କରୁଥିବ ।
- 3. ସଦସ୍ୟମାନେ ସର୍ବଦା ନିଶ୍ଚିତ କରିବା ଉଚିତ ଯେ ସେମାନଙ୍କର ବ୍ୟକ୍ତିଗତ ଆର୍ଥିକ ଲାଭ କିମ୍ବା ସମ୍ପର୍କୀୟ ସ୍ୱାର୍ଥ ପ୍ରସଙ୍ଗ ତାଙ୍କ ସାଧାରଣ କର୍ତ୍ତବ୍ୟ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଚି ନକରିବ । ଯଦି ସେ ଦିଗରେ କୌଣସି ଦ୍ବନ୍ଦ୍ବାତ୍ମକ ସ୍ଥିତି ଉପୁଜେ, ତେବେ ସେମାନେ ସାଧାରଣ ଦାୟିତ୍ବକୁ ଅଗ୍ରାଧିକାର ଦେଇ ଏହାର ମର୍ଯ୍ୟାଦାପୂର୍ଣ୍ଣ ସମାଧାନ କରିବେ ।
- 4. ସଦନରେ ଆଗତ କୌଣସି ବିଲ୍, ସଙ୍କଳ୍ପ କିମ୍ବା ପ୍ରସ୍ତାବରେ ଜଣେ ନିର୍ବାଚିତ ସଦସ୍ୟ ଭାବେ ଭୋଟିଂ ବେଳେ ସେମାନେ କୌଣସି ଶୁଳ୍କ, ପାରିଶ୍ରମିକ ଆଶା କରିବା କିମ୍ବା ଗ୍ରହଣ କରିବା ଉଚିତ୍ ନୁହେଁ ।
ଯଦି କୌଣସି ସଦସ୍ୟଙ୍କ ଦ୍ବାରା ସଦନରେ ଏପରି କାର୍ଯ୍ୟକଳାପ ହୋଇଥିବା ଅନୁଭବ କରାଯାଏ, ତେବେ ଏହାକୁ ଗୃହର ସ୍ବାଧିକାର ଭଙ୍ଗ ବୋଲି ବିଚାର କରାଯିବ ।
1951 ମସିହାରେ ତତ୍କାଳୀନ ଅନ୍ତରୀଣ ସଂସଦ ଆଡ୍ ହକ୍ କମିଟି (ad hoc committee) ନିଯୁକ୍ତ କରିଥିଲା । ଏଚ.ଜି ମୁଦଗଲଙ୍କ (H. G. Mudgal) ର ଆଚରଣ ଏବଂ କାର୍ଯ୍ୟକଳାପର ଅନୁସନ୍ଧାନ ପାଇଁ ଏହି କମିଟି ଗଠନ କରାଯାଇ ଦାୟିତ୍ବ ନ୍ୟସ୍ତ କରାଯାଇଥିଲା । କିଛି ପ୍ରୋପାଗଣ୍ଡା ଭିତ୍ତିକ ପ୍ରସଙ୍ଗ ସଂସଦରେ ଉଠାଇ ପ୍ରତିବଦଳରେ ଲାଭାନ୍ବିତ ହୋଇଥିବା ଅଭିଯୋଗ ସମ୍ପର୍କିତ ମାମଲାରେ ଏହିକମିଟି ତଦନ୍ତ ଶେଷ କରି ମୁଦଗଲଙ୍କ ବିରୋଧରେ ରିପୋର୍ଟ ପ୍ରଦାନ କରିଥିଲା। ତାଙ୍କ ସଦସ୍ୟତା ରଦ୍ଦକରିବା ପାଇଁ ଏହି କମିଟି ସୁପାରିଶ କରିଥିବା ବେଳେ ସେ ପଦରୁ ଇସ୍ତଫା ଦେଇଥିଲେ ।
ଏହି ପରି ଅନ୍ୟ ଏକ ଚର୍ଚ୍ଚିତ ଘଟଣା 12 ଡିସେମ୍ବର 2005 ରେ ସାମ୍ନାକୁ ଆସିଥିଲା । ସେତେବେଳେ ଏକ ଘରୋଇ ଟେଲିଭିଜନରେ ସଂସଦର ଏକାଧିକ ସଦସ୍ୟ କିଛି ପ୍ରସଙ୍ଗରେ ଗୃହରେ ପ୍ରଶ୍ନ ଉଠାଇବା ପାଇଁ କିଛି ସଂସ୍ଥାଠାରୁ ଟଙ୍କା ଗ୍ରହଣ କରିଥିବା ଖବର ପ୍ରସାରିତ ହୋଇଥିଲା । ଏ ସମ୍ପର୍କିତ ଭିଡିଓ ମଧ୍ୟ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ଏହା ପରେ ସେହି ସମସ୍ତ ସାଂସଦଙ୍କୁ ଗୃହ କାର୍ଯ୍ୟରୁ ସେମାନଙ୍କ ବିରୋଧରେ ଆସିଥିବା ତଦନ୍ତ ଶେଷ ନହେବା ଯାଏ ବିରତ ରହିବାକୁ ତତ୍କାଳୀନ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ । ଏ ସମ୍ପର୍କିତ ଅଭିଯୋଗର ତଦନ୍ତ କରି ଗୃହରେ ରିପୋର୍ଟ ଉପସ୍ଥାପନ ପାଇଁ ଏକ କମିଟି ଗଠନ କରାଯାଇଥିଲା । ଏହି କମିଟି ସେହିବର୍ଷ (2005) ମସିହା 21 ଡିସେମ୍ବର ସୁଦ୍ଧା ଦାଖଲ କରିଥିଲା କମିଟି ।କମିଟିର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ସୁପାରିଶ ଅନୁସାରେ, 23 ଡିସେମ୍ବର ଉଭୟ ଗୃହର 11 ସଦସ୍ୟଙ୍କୁ ବହିଷ୍କାର କରାଯାଇଥିଲା । ଏମାନଙ୍କ ମଧ୍ୟରେ ଲୋକସଭାରୁ 10 ସଦସ୍ୟ ଓ ରାଜ୍ୟସଭାର ଜଣେ ସଦସ୍ୟ ଥିଲେ ।
ସେହିପରି ବିଭିନ୍ନ ଅପରାଧିକ ଓ ଦୁର୍ନୀତି ମାମଲାରେ କୋର୍ଟଙ୍କ ଦ୍ବାରା ଦୋଷୀ ସାବ୍ୟସ୍ତ ହେବା ପରେ ଅନେକ ସାଂସଦ ସଦସ୍ୟତା ହରାଇଛନ୍ତି । ଜୟଳଳିତା, ଲାଲୁ ପ୍ରସାଦ ଯାଦବ ଓ ନିକଟରେ ରାହୁଲ ଗାନ୍ଧୀଙ୍କ କ୍ଷେତ୍ରରେ ଏହି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ସେହିପରି କୌଣସି ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ସଦସ୍ୟତା ରଦ୍ଦ ହେବା ସହ ଆସନ୍ତା 6 ବର୍ଷ କିମ୍ବା ଅଧିକ ସମୟ ପାଇଁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ଉପରେ ମଧ୍ୟ କଟକଣା ଥାଏ । ମାତ୍ର ସଂସଦୀୟ କାର୍ଯ୍ୟାନୁଷ୍ଠାନରେ ସଦସ୍ୟତା ରଦ୍ଦ ହୋଇଥିବା ସାଂସଦଙ୍କ କ୍ଷେତ୍ରରେ ନିର୍ବାଚନ ଲଢିବାରେ କୌଣସି କଟକଣା ନାହିଁ ।
ଆଲେଖ୍ୟଟି ଲେଖକଙ୍କର ସମ୍ପୂର୍ଣ୍ଣ ନିଜସ୍ବ ମତ
ଇଟିଭି ଭାରତ ଦ୍ବାରା ପ୍ରକାଶିତ ଖବର ନୁହେଁ ...