ଡେରାଡୁନ:ଉତ୍ତରକାଶୀ ଟନେଲ ଟ୍ରାଜେଡିର ଉଦ୍ଧାର କାର୍ଯ୍ୟ ଆଜିକୁ 8ମ ଦିନରେ ପହଞ୍ଚିଛି । ଆଜି ଘଟଣାସ୍ଥଳରେ ପହଞ୍ଚିଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଗଡକରୀଙ୍କ ସାଙ୍ଗରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଉଭୟ ଆଜି (ରବିବାର) ସକାଳେ ହେଲିକପ୍ଟର ଯୋଗେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅପରେସନ ସମୀକ୍ଷା କରିବା ସହ ସେଠାରେ ଉଦ୍ଧାରରେ ନିୟୋଜିତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଉଭୟଙ୍କୁ ଉତ୍ତରାଖଣ୍ଡ ବିପର୍ଯ୍ୟୟ ପରିଚାଳନା ସଚିବ ମନୋଜ ସିହ୍ନା ଓ ସ୍ଥାନୀୟ ପୋଲିସ ଏସପି ଉଦ୍ଧାର ପ୍ରକ୍ରିୟା ସମ୍ପର୍କରେ ଅବଗତ କରିଥିଲେ । ଗଡକରୀ ଓ ଧାମି ଟନେଲ ମଧ୍ୟରେ ପ୍ରବେଶ କରି ଉଦ୍ଧାର କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ ।
ସ୍ଥିତି ସମୀକ୍ଷା କରିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଗଡକରୀ କହିଥିଲେ,‘‘ ଉଦ୍ଧାର କାର୍ଯ୍ୟ ସଠିକ ଭାବେ ଜାରି ରହିଛି । ଯଦି ଅଗର ଡ୍ରିଲିଂ ମେସିନ ସଠିକ ଭାବେ କାମ କରେ, ତେବେ ଆଗାମି ଦୁଇରୁ ଅଢେଇ ଦିନ ମଧ୍ୟରେ ଆମେ ଶ୍ରମିକଙ୍କ ନିକଟରେ ପହଞ୍ଚିବାରେ ସଫଳ ହେବୁ । ଏବେ ପାଇପ ମାଧ୍ୟମରେ ସେମାନଙ୍କ ନିକଟରେ ଅମ୍ଳଜାନ ଖାଦ୍ୟ ଓ ପାନୀୟ ପଠାଯାଉଛି । ଏହି ପ୍ରକ୍ରିୟାରେ କୌଣସି ସମ୍ଭାବ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ଅନ୍ୟ ଏକ ବିକଳ୍ପ ପାଇପଲାଇନ ମଧ୍ୟ ବ୍ୟବସ୍ଥା କରାଯାଉଛି । ଶ୍ରମିକମାନେ ଫସିଥିବା ସ୍ଥାନରେ ଆଲୋକ ଅଛି । ସେଠାରେ ପର୍ଯ୍ୟାପ୍ତ ସ୍ଥାନ ମଧ୍ୟ ରହିଛି । ସେମାନେ ସେଠାରେ କିଛି ସ୍ଥାନ ପର୍ଯ୍ୟନ୍ତ ଚଲାବୁଲା ମଧ୍ୟ କରିପାରୁଛନ୍ତି ।’’
ଉଦ୍ଧରକାର୍ଯ୍ୟକୁ ନିୟମିତ ତଦାରଖ କରୁଥିବା ଉତ୍ତରାଖଣ୍ଡ ବିପର୍ଯ୍ୟୟ ପରିଚାଳନା ସଚିବ ରଞ୍ଜିତ ସିହ୍ନା କହିଛନ୍ତି,‘‘ ଆମେ ଅଗର ମେସିନ୍ ସାହାଯ୍ୟରେ 900 ମି.ମି ବ୍ୟାସ ବିଶିଷ୍ଟ ପାଇପ ଟନେଲ ମଧ୍ୟରେ ଭର୍ତ୍ତି କରୁଛୁ । ଏପର୍ଯ୍ୟନ୍ତ ଆମେ ଟନେଲ ମଧ୍ୟରେ 22 ମିଟର ପର୍ଯ୍ୟନ୍ତ ଏହି ପାଇପକୁ ଭର୍ତ୍ତି କରିସାରିଛୁ । ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ପଠାଇବା ପାଇଁ ଏକ ଲାଇଫ ଲାଇନ ପାଇପ ମଧ୍ୟ ବ୍ୟବସ୍ଥିତ ହୋଇଛି । ଆମେ ଏପର୍ଯ୍ୟନ୍ତ 42 ମିଟର ପର୍ଯ୍ୟନ୍ତ ପହଞ୍ଚି ସାରିଛୁ । ଏବେ ଆଉ ମାତ୍ର କିଛି ମିଟର ବାକି ରହିଛି । ଖୁବଶିଘ୍ର ଏହି ଦୂରତା ମଧ୍ୟ ଆମେ ଅତିକ୍ରମ କରିବୁ । ଲାଇଫ ସପୋର୍ଟ ପାଇଁ ଆମେ ଆଉ ଏକ ଅତିରିକ୍ତ ପାଇପ ମଧ୍ୟ ବ୍ୟବସ୍ଥା କରିବାକୁ ପ୍ରୟାସ କରୁଛୁ ।’’