ମୁମ୍ବାଇ: ଆଉ ମାତ୍ର 10 ଦିନ ପରେ ରିଲିଜ ହେବାକୁ ଯାଉଛି ଫିଲ୍ମ 'ଆଦିପୁରୁଷ'। ସାଉଥ ସୁପରଷ୍ଟାର ପ୍ରଭାସ ଏବଂ କ୍ରୀତି ସାନନଙ୍କ ଅଭିନୀତ ଏହି ଫିଲ୍ମର କ୍ରେଜ୍ ବଢିବାରେ ଲାଗିଛି। ରିଲିଜ ପୂର୍ବରୁ ହିଁ ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ଟଲିଉଡ ଏପରିକି ବଲିଉଡ ଜଗତରେ ବି ଏହାର କ୍ରେଜ୍ ଦେଖିବାକୁ ମିଳିଲାଣି। ଏହାରି ଭିତରେ ଏକ ବଡ ଖବର ସାମନାକୁ ଆସିଛି। ବଲିଉଡ ସୁପରଷ୍ଟାର ରଣବୀର କପୁର କିଣିବାକୁ ଯାଉଛନ୍ତି 10,000 ଟିକେଟ୍।
ଏହି ଖବର ସାମନାକୁ ଆସିବା ପରେ ଫ୍ୟାନ୍ସ ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପ୍ରଶ୍ନ ଉଠିଛି, ରଣବୀର ଏତେ ସବୁ ଟିକେଟ୍ କରିବେ କ'ଣ? ଖବର ଅନୁସାରେ, ରଣବୀଣ ଟିକେଟ୍ କିଣିବା ପରେ ତାହାକୁ ଗରିବ ପିଲାଙ୍କୁ ଦାନ କରିବେ। ଯାହା ଦ୍ବାରା ଗରିବ ପିଲାମାନେ ମଧ୍ୟ ଏହି ପୌରାଣିକ ଚଳଚ୍ଚିତ୍ରକୁ ପ୍ରେକ୍ଷାଳୟରେ ଦେଖିବାର ସୁଯୋଗ ପାଇବେ। ଏକ ଏନଜିଓ ସଂସ୍ଥା ଜରିଆରେ ସେ ଟିକେଟ୍ ବଣ୍ଟନ କରିବେ ବୋଲି ଜଣାପଡିଛି। ବଲିଉଡ ଅଭିନେତା ରଣବୀରଙ୍କ ଏଭଳି ପ୍ରୟାସକୁ ଖୁବ ପ୍ରଂଶସା କରିଛନ୍ତି ଫିଲ୍ମ ନିର୍ମାତା। ତେବେ ଫିଲ୍ମ 'ଆଦିପୁରୁଷ' ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଓ ମାଲାୟଲାମ ଆଦି 5 ଟି ଭାଷାରେ ରିଲିଜ ହେବାକୁ ଯାଉଥିବାବେଳେ ଖୁବଶୀଘ୍ର ଆଡଭାନ୍ସ ଟିକେଟ୍ ବୁକିଂ ପ୍ରକ୍ରିୟା ଆରମ୍ଭ ହେବ।