ନୂଆଦିଲ୍ଲୀ:ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇଥିବା ଆମ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂଙ୍କ ରିମାଣ୍ଡ ଅବଧିକୁ ଆଜି କୋର୍ଟ 13 ତାରିଖକୁ ବୃଦ୍ଧି କରିଛନ୍ତି । ଚଳିତ ମାସ 4 ତାରିଖରେ ତାଙ୍କ ବାସଭବନରେ ଏକାଧିକ ଘଣ୍ଟାର ଚଢାଉ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା । 5 ତାରିଖରେ ତାଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ପ୍ରଥମ ପର୍ଯ୍ୟାୟରେ 5 ଦିନିଆ (ଅକ୍ଟୋବର 10 ପର୍ଯ୍ୟନ୍ତ) ଅଧିକ ଜେରା ପାଇଁ ତାଙ୍କୁ ଇଡି ରିମାଣ୍ଡରେ ପଠାଇଥିଲେ । ତେବେ ଆଜି ତାଙ୍କ ପ୍ରଥମ ରିମାଣ୍ଡ ଅବଧି ଶେଷ ହେବା ସହ ପୁଣି ଏହି ଅବଧିକୁ 13 ତାରିଖକୁ ବୃଦ୍ଧି କରାଯାଇଛି ।
ଆଜି ସଞ୍ଜୟଙ୍କର ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କୁ ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରିଥିଲା କେନ୍ଦ୍ରୀୟ ସଂସ୍ଥା । ଏହି ମାମଲାରେ ଅଧିକ ଜେରାର ଆବଶ୍ୟକତା ଦର୍ଶାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୁଣି ରିମାଣ୍ଡ ଆବେଦନ କରିଥିଲା । କୋର୍ଟ ସଞ୍ଜୟଙ୍କୁ ଦ୍ବିତୀୟ ପର୍ଯ୍ୟାୟରେ 3 ଦିନିଆ ଅର୍ଥାତ 13 ତାରିଖ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ପଠାଇଛନ୍ତି ।
4 ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସଞ୍ଜୟଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଚଢ଼ାଉ କରିଥିଲା । ଏକାଧିକ ଘଣ୍ଟା ଚଢାଉ ଓ ଜେରା କରିବା ପରେ ତାଙ୍କୁ ସଂଧ୍ୟାରେ ଗିରଫ କରି ମୁଖ୍ୟାଳୟକୁ ନିଆଯାଇଥିଲା । ପରଦିନ (5 ତାରିଖ) ସ୍ବାସ୍ଥ୍ୟ ପରୀକ୍ଷା କରି କୋର୍ଟରେ ହାଜର କରିଥିଲା । ଏହି ମାମଲାରେ ଜେରା ଓ ଡିଜିଟାଲ ପ୍ରମାଣ ସଂଗ୍ରହର ଆବଶ୍ୟକତା ଥିବା ଦର୍ଶାଇ ଇଡି ରିମାଣ୍ଡ ଆବେଦନ କରିଥିଲା । ଏବେ ସଞ୍ଜୟ 13 ତାରିଖ ଯାଏ ଇଡି କଷ୍ଟଡିରେ ଜେରା ହେବେ । ତଦନ୍ତକାରୀ ସଂସ୍ଥା ତାଙ୍କୁ ଜେରା କରି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିବା ପାଇଁ ପ୍ରୟାସ କରିବ ।