ନୂଆଦିଲ୍ଲୀ: ‘ଏକକ ନିର୍ବାଚନ’ ପ୍ରସଙ୍ଗରେ ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ ପ୍ୟାନେଲର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଛି । ପ୍ୟାନେଲର ଅଧ୍ୟକ୍ଷ ତଥା ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ପ୍ୟାନେଲର ସମସ୍ତ ସଦସ୍ୟ, କେନ୍ଦ୍ର ଆଇନମନ୍ତ୍ରୀ ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଏହି କମିଟି ଏକକାଳୀନ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡିକର ନିର୍ବାଚନର ସମ୍ଭାବ୍ୟତାକୁ ଅନୁଧ୍ୟାନ କରିବା ସହ ସରକାରଙ୍କୁ ପ୍ରସ୍ତାବ ସୁପାରିଶ କରିବ । ତେବେ ଏହି ଉଚ୍ଚସ୍ତରୀୟ କମିଟି ଗଠନ ହେବା ପରେ ଆଜି ଏହା ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି ।
ଆଜି ବୈଠକରେ କମିଟିର ସଦସ୍ୟମାନଙ୍କ ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହ, ରାଜ୍ୟସଭାରେ ବିରୋଧୀ ଦଳର ପୂର୍ବତନ ନେତା ତଥା ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ, ପୂର୍ବତନ ଅର୍ଥ ଆୟୋଗର ଅଧ୍ୟକ୍ଷ ଏନ.କେ ସିଂ ଓ କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନରାମ ମେଘଓ୍ବାଲ ପ୍ରମୁଖ ସାମିଲ ହୋଇ ଆଲୋଚନା କରିଥିଲେ । ବିଭିନ୍ନ ଦିଗ ଉପରେ ଆଜି ପ୍ରଥମ ବୈଠକରେ ପ୍ରାଥମିକ ଆଲୋଚନା ହୋଇଛି ।
ଏହା ମଧ୍ୟ ପଢନ୍ତୁ :- Indo-Canadian fallout: ଦୁଇ ଦେଶ ମଧ୍ୟରେ ଘନଉଛି ତିକ୍ତତା, ପ୍ରଭାବିତ ହେବ କୃଷି ଏବଂ ଖାଦ୍ୟ ସୁରକ୍ଷା
ଚଳିତ ସଂସଦ ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ ଏହି ପ୍ରକ୍ରିୟା ଆରମ୍ଭ କରିବା ସହ ଏକ 8 ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ ସରକାର । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏହି ଉଚ୍ଚସ୍ତରୀୟ ପ୍ୟାନେଲରେ ଅଧ୍ୟକ୍ଷ ନିଯୁକ୍ତି କରାଯାଇଛି । ତେବେ ଗତକାଲି 5 ଦିନିଆ ସଂସଦ ଅଧିବେଶନ ଶେଷ ହୋଇଥିବା ବେଳେ ଏହି ଏକକ ନିର୍ବାଚନ ପ୍ରସଙ୍ଗରେ କୌଣସି ପ୍ରକ୍ରିୟା ଗ୍ରହଣ କରାଯାଇନଥିଲା । ତେବେ ସଂସଦ ଅଧିବେଶନ ଶେଷ ହେବା ସହ ଏକକ ନିର୍ବାଚନ କିମ୍ବା ଲୋକସଭା ଭଙ୍ଗ କରି ଆଗୁଆ ନିର୍ବାଚନ ଚର୍ଚ୍ଚାରେ ମଧ୍ୟ ଶିଥିଳତା ଆସିଛି । କେବଳ 5 ଦିନିଆ ଅଧିବେଶନ ମହିଳା ସଶକ୍ତିକରଣ ବିଲ ପାସ ହେବାରେ ଶେଷ ହୋଇଛି । ଏହି ଅଧିବେଶନ ଆହୁତ ହେବା ପରଠାରୁ ବିଭିନ୍ନ ଚର୍ଚ୍ଚା ପାଇଁ ବେଶ ଚର୍ଚ୍ଚିତ ହୋଇରହିଥିଲା । ଏହାରି ମଧ୍ୟରେ ସବୁଠାରୁ ଆଗରେ ଥିଲା ଏକକ ନିର୍ବାଚନ ପ୍ରସଙ୍ଗ । ଆଜି ଏହି ପ୍ୟାନେଲ ପ୍ରଥମ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି । ଏହି କମିଟି ଆଗକୁ କଣ ସରକାରଙ୍କୁ ସୁପାରିଶ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ