ମୁମ୍ବାଇ:ଗତ କିଛି ଲାଗି ରହିଥିବା ଛକାପଞ୍ଝାରେ ଅନ୍ତ ଘଟାଇ କ୍ରାଇମବ୍ରାଞ୍ଚରେ ହାଜର ହୋଇଛନ୍ତି ପଳାତକ ଘୋଷିତ ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ(Param Bir Singh appears before Mumbai Crime branch ) ।
ଆଜି ପୂର୍ବାହ୍ନରେ କ୍ରାଇମବ୍ରାଞ୍ଚ ୟୁନିଟ-୧୧ ରେ ହାଜର ହୋଇଛନ୍ତି ପରମବୀର । ପୂର୍ବରୁ ପଳାତକ ଘୋଷିତ ହୋଇସାରିଥିବା ପରମବୀର ଏବେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗର ତଦନ୍ତରେ ସହାୟତା କରିବା ପାଇଁ ସେ ନିଜ ଆଡୁ ହାଜର ହୋଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି ।
ହାଜର ହେବା ପରେ ଚାନ୍ଦା ମାଗିବା ନେଇ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସମ୍ପର୍କରେ ପ୍ରାଥମିକ ପଚରାଉଚରା ସହ ତାଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ (Mumbai crime branch )। ଗତ ୨୨ ତାରିଖରେ ସୁପ୍ରିମକୋର୍ଟରେ ତାଙ୍କ ଅନ୍ତରୀଣ ସୁରକ୍ଷା ଆବେଦନ ଶୁଣାଣି ଚାଲିଥିବାବେଳେ, ପରମବୀର ସିଂ କୋର୍ଟରେ ହାଜର ହେବେ ବୋଲି କହିଥିଲେ ତାଙ୍କ ପକ୍ଷ ରଖୁଥିବା ଆଇନଜୀବୀ । ପ୍ରତିଶ୍ରୁତି ପରେ ସର୍ତ୍ତମୂଳକ ଭାବେ ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ କୋର୍ଟ । ଗିରଫ ଆଶଙ୍କାରୁ ବର୍ତ୍ତିବା ପରେ ଆଜି ସେ କ୍ରାଇମବ୍ରାଞ୍ଚରେ ହାଜର ହୋଇଛନ୍ତି ।