ଚଣ୍ଡିଗଡ: ଶିରୋମଣୀ ଅକଳୀ ଦଳର ସଂସ୍ଥାପକ ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ଅସୁସ୍ଥ । ସ୍ଥିତି ଗମ୍ଭୀର ହେବାରୁ ମୋହାଲୀ ସ୍ଥିତ ଏକ ଘରୋଇ ମେଡିକାଲରେ ଉଚ୍ଚସ୍ତରୀୟ ଚିକିତ୍ସା ପାଇଁ ଭର୍ତ୍ତି । ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କରୁଛନ୍ତି ।
ମିଳିଥିବା ସୂଚନା ଅନୁସାରେ ନିଶ୍ବାସ ପ୍ରଶ୍ବାସ ନେବାରେ ପ୍ରକାଶ ସିଂ ବାଦଲ କଷ୍ଟ ଅନୁଭବ କରୁଛନ୍ତି । ଯେଉଁଥିପାଇଁ ସେ ଶୁକ୍ରବାର ଅସୁସ୍ଥ ହୋଇପଡିଥିଲେ । ଫଳରେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ମେଡିକାଲ ପକ୍ଷରୁ କୁହାଯାଇଛି ଯେ ପ୍ରକାଶ ସିଂ ବାଦଲଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ତାଙ୍କ ସ୍ବାସ୍ଥ୍ୟ ସ୍ଥିତି ଉପରେ ଡାକ୍ତରୀ ଟିମ ନଜର ରଖିଛନ୍ତି ।
ପ୍ରକାଶ ସିଂ ବାଦଲଙ୍କ ଅସୁସ୍ଥ ଖବର ଶୁଣି ଚିନ୍ତା ବ୍ୟକ୍ତ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଶାହ ଟ୍ବିଟ କରି କହିଛନ୍ତି, ‘‘ବରିଷ୍ଠ ରାଜନେତା ପ୍ରକାଶ ସିଂ ବାଦଲଙ୍କ ଅସୁସ୍ଥତା ଶୁଣି ମୁଁ ଚିନ୍ତିତ । ସୁଖବୀର ସିଂ ବାଦଲଙ୍କୁ ଫୋନ କରି ପ୍ରକାଶ ସିଂ ବାଦଲଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଆଲୋଚନା କରିଛି । ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ସେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ । ’’
ଗତ ବର୍ଷ ଜୁନ ମାସରେ ରାଜ୍ୟର 5 ଥର ମୁଖ୍ୟମନ୍ତ୍ରୀ ହୋଇଥିବା ପ୍ରକାଶ ସିଂ ବାଦଲ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ସେତେବେଳେ ମଧ୍ୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେହିପରି ଫେବୃୟାରୀ 2022 ରେ ପ୍ରକାଶ ସିଂ ବାଦଲଙ୍କର ସ୍ବାସ୍ଥ୍ୟ ପରୀକ୍ଷା ମୋହାଲିର ଏକ ମେଡିକାଲରେ ହୋଇଥିଲା । 2022 ଜାନୁୟାରୀରେ କୋଭିଡରେ ସଂକ୍ରମିତ ହୋଇଥିଲେ ପ୍ରକାଶ ସିଂ ବାଦଲ।