ଅମରାବତୀ: ବିଧାନସଭାରେ କାନ୍ଦିଲେ ଚନ୍ଦ୍ରବାବୁ ନାଇଡୁ । ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (TDP) ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ ଶୁକ୍ରବାର ବିଧାନସଭାରେ କୋହ ସମ୍ବରଣ କରିପାରିନାହାଁନ୍ତି । ବିଧାନସଭା ଭିତରେ ଅପଦସ୍ତ ହୋଇ କାନ୍ଦି ପକାଇଛନ୍ତି। ଯେ ପର୍ଯ୍ୟନ୍ତ ସେ ଶାସନ ଗାଦିରେ ନ ଫେରିବେ ସେ କେବେ ମଧ୍ୟ ଆଉ ବିଧାନସଭାରେ ପ୍ରବେଶ କରିବେ ନାହିଁ ବୋଲି କହିଛନ୍ତି ।
ଆନ୍ଧ୍ରପ୍ରଦେଶ ବିଧାନସଭା ଭିତରେ ଭାବୁକ ହୋଇପଡିଛନ୍ତି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ । ବିଧାନସଭାର ପବିତ୍ର ଗୃହ ଭିତରେ ଯେ ଭଳି ପରିସ୍ଥିତି ସୃଷ୍ଟି କରାଗଲା ମୁଁ କେବେ ମଧ୍ୟ କଳ୍ପନା କରିନଥିଲି । ଶେଷରେ ମୋ ପତ୍ନୀଙ୍କୁ ମଧ୍ୟ ଟାର୍ଗେଟ କରାଯାଉଛି ଏବଂ ଅପଶବ୍ଦ ପ୍ରୟୋଗ କରାଯାଉଛି।
ପତ୍ନୀ ଭୁବନେଶ୍ବରୀକୁ ନେଇ ଦିଆଯାଇଥିବା ବୟାନରେ ଭାବୁକ ହୋଇଛନ୍ତି ଚନ୍ଦ୍ରବାବୁ ନାଇଡୁ। ବିଧାନସଭାରେ ଶାସକ ଦଳ ୱାଇଏସଆର କଂଗ୍ରେସ ସଦସ୍ୟମାନେ ଟାର୍ଗେଟ କରିଥିବା କହିଛନ୍ତି । ଗତ ଦୁଇ ବର୍ଷ ହେଲା ଢେର ଅପମାନ ଅପବାଦ ସହିଛି ହେଲେ ମଧ୍ୟ ଶାନ୍ତ ରହୁଛି। ଆଜି କିନ୍ତୁ ମୋ ପତ୍ନୀକୁ ଟାର୍ଗେଟ କରାଯାଇଛି। ମୁଁ ସବୁବେଳେ ସମ୍ମାନର ସହ ରହିଛି କିନ୍ତୁ ଏହା ଅତ୍ୟଧିକ ହୋଇଗଲା ମୁଁ ସହିପାରିବି ନାହିଁ ବୋଲି କହିଛନ୍ତି।
ପରେ ଟିଡିପି ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମୀଳନୀରେ ଭାବୁକ ହୋଇ କାନ୍ଦିଛନ୍ତି । ଏହା ସହ ସେ କହିଛନ୍ତି ଯେ ମୋ ଜୀବନରେ ଏ ଭଳି କେବେ ମଧ୍ୟ ଦେଖିନାହିଁ । ମୋ ରାଜନୈତିକ ଜୀବନରେ କେବେ ଏଭଳି କଷ୍ଟ ପାଇନାହିଁ । ଯେତେବେଳେ କି ମୋ ପତ୍ନୀ ରାଜନୀତି ସହ ତାଙ୍କର କୌଣସି ସମ୍ପର୍କ ନାହିଁ କିନ୍ତୁ ତାଙ୍କୁ ଟାର୍ଗେଟ କରାଯାଉଛି ଯାହା ବହୁତ କଷ୍ଟ ଦେଇଛି ।