ବେଙ୍ଗାଲୁରୁ:ଦକ୍ଷିଣର ଏକମାତ୍ର ବିଜେପି ଶାସିତ ରାଜ୍ୟ କର୍ଣ୍ଣାଟକରେ କ୍ରମାଗତ ଦେଖିବାକୁ ମିଳୁଛି ଗୋଟିଏ ପରେ ଗୋଟିଏ ସାମ୍ପ୍ରଦାୟିକ ବିବାଦ । ହିଜାବ ବିବାଦ ଏବେ କୋର୍ଟରେ ବିଚାରାଧୀନ ଥିବା ବେଳେ, ଏବେ ଜଣେ ବରିଷ୍ଠ ବିଜେପି ନେତାଙ୍କ ଲାଉଡସ୍ପିକର ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି । ରାଜ୍ୟ ବିଜେପିର ବରିଷ୍ଠ ନେତା କେ.ଏସ ଇଶ୍ବରପ୍ପାଙ୍କ ଲାଉଡସ୍ପିକରକୁ ନେଇ ମନ୍ତବ୍ୟ ଏବେ ରାଜ୍ୟ ରାଜନୀତିରେ ପୁଣି ସାମ୍ପ୍ରଦାୟିକ ଉଷ୍ମତା ବଢାଇଛି ।
ଅଭିଯୋଗ ଓ ଚର୍ଚ୍ଚା ଅନୁସାରେ, ଇଶ୍ବରପ୍ପା କହିଥିଲେ ଆଲ୍ଲା ବଧିର ତେଣୁ ତାଙ୍କୁ ପ୍ରାର୍ଥନା ଶୁଣିବା ପାଇଁ ଲାଉଡସ୍ପିକରର ଆବଶ୍ୟକତା ପଡୁଛି । ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ଇଶ୍ବରପ୍ପା କହିଥିଲେ, ଲାଉଡସ୍ପିକର କାରଣ ପାଇଁ ସେ ମୁଣ୍ଡବିନ୍ଧାର ଶିକାର ହେଉଛନ୍ତି । ଆଜନ ସମୟରେ ଆଲ୍ଲାଙ୍କୁ ଡାକିବା ପାଇଁ ଲାଉଡସ୍ପିକରର ଆବଶ୍ୟକତା କାହିଁକି ? ଯଦି ଆଲ୍ଲା କେବଳ ଲାଉଡସ୍ପିକର ମାଧ୍ୟମରେ ହିଁ ପ୍ରାର୍ଥନା ଶୁଣିବେ, ତେବେ ସେ ବଧିର ।
ପୂର୍ବରୁ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ସମେତ କିଛି ରାଜ୍ୟରେ ଲାଉଡସ୍ପିକରକୁ ନେଇ ବିବାଦ ଦେଖାଯାଇ ସାରିଛି । ଏବେ ଇଶ୍ବରପ୍ପାଙ୍କ ମନ୍ତବ୍ୟ ସାମ୍ନାକୁ ଆସିବା ପରେ କର୍ଣ୍ଣାଟକରେ ମଧ୍ଯ ଉତ୍ତେଜନା ଦେଖିବାକୁ ମିଳୁଛି । ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏହାକୁ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଆକ୍ଷେପମୂଳକ ମନ୍ତବ୍ୟ କହି ଇଶ୍ବରପ୍ପାଙ୍କୁ ସମାଲୋଚନା କରୁଥିବା ବେଳେ ଅପର ଗୋଷ୍ଠୀ ଲାଉଡସ୍ପିକର ଫଳରେ ଧାରାରଣ ଜନତା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।