ଡେରାଡୁନ୍:ଉତ୍ତରାଖଣ୍ଡର ଉତ୍ତରକାଶୀର ଟନେଲ ଟ୍ରାଜେଡିକୁ ଦୀର୍ଘ 7 ଦିନ ବିତିଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ ଫସିଥିବା 41 ଶ୍ରମିକଙ୍କୁ ଉଦ୍ଧାର କରିବାରେ ସଫଳତା ମିଳିନି । ତମାମ ପ୍ରୟାସ ସତ୍ତ୍ବେ ମଧ୍ୟ ଏହି ଆହ୍ବାନପୂର୍ଣ୍ଣ ଉଦ୍ଧାର ଅପରେସନ ସଫଳତାଠାରୁ ଦୂରରେ ରହିଛି । ଏବେ ଏହାରି ମଧ୍ୟରେ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ବୈଷୟିକ ଦିଗ ମଧ୍ୟ ସାମ୍ନାକୁ ଆସିଛି । ଯାହା ନିର୍ମାଣକାରୀ ସଂସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଟନେଲ ପ୍ରକଳ୍ପଟି 3 କି.ମି ରୁ ଅଧିକ ଲମ୍ବ ବିଶିଷ୍ଟ ହୋଇଥିବା କାରଣରୁ ଯେକୌଣସି ଜରୁରୀକାଳୀନ ସମୟରେ ଉଦ୍ଧାର ପାଇଁ ଏକ ଏମରଜେନ୍ସି ଏସକେପ ରୁଟ ନିର୍ମାଣ କରାଯିବାର ନିୟମ ରହିଛି । ପ୍ରୋଜେକ୍ଟରେ ଏଥିପାଇଁ ପ୍ଲାନ ମଧ୍ୟ ରଖାଯାଇଥିଲା । ହେଲେ ଏହାକୁ କାର୍ଯ୍ୟକାରୀ କରାଯାଇନଥିଲ । କମ୍ପାନୀ କେବଳ ମୁଖ୍ୟ ଟନେଲ ନିର୍ମାଣ ଆରମ୍ଭ କରିଥିଲା ।
3 କି.ମି ଲମ୍ବରୁ ଅଧିକ ଲମ୍ବ ବିଶିଷ୍ଟ ଟନେଲ ନିର୍ମାଣ କରାଗଲେ ମାନକ କାର୍ଯ୍ୟ ପ୍ରଣାଳୀ (ଏସଓପି) ଅନୁସାରେ, ଏକ ଏସକେପ ରୁଟ ନିର୍ମାଣ କରାଯିବାର ନିୟମ ରହିଛି । କୌଣସି କ୍ଷେତ୍ରରେ ଟନେଲରେ ଭୂସ୍ଖଳନ କିମ୍ବା ଅନ୍ୟ ସମସ୍ୟା ହେଲେ, ଏହି ଏମରଜେନ୍ସି ରୁଟକୁ ବ୍ୟବହାର କରି ସେଥିରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇପାରିବ । ଉତ୍ତରକାଶୀର ଏହି ନିର୍ମାଣାଧୀନ ଟନେଲଟି ଦୀର୍ଘ 4.5 କି.ମି ଲମ୍ବ ବିଶିଷ୍ଟ । ଏହା ଆକାରରେ ସଳଖ ନୁହେଁ ବରଂ ବକ୍ରାକାର ମଧ୍ୟ । ତେଣୁ ଏସଓପି ଅନୁସାରେ, ଏହାର ମୂଳ ଡାଇଗ୍ରାମରେ ଏକ ଏମରସେଜନ୍ସି ଏସକେପ ପ୍ଲାନ ମଧ୍ୟ ରଖାଯାଇଥିଲା । ତେବେ ପ୍ଲାନ ପ୍ରସ୍ତୁତ ହୋଇ ମଧ୍ୟ କାହିଁକି ଏ ଦିଗରେ କୌଣସି ନିର୍ମାଣ କରାନଯାଇ, କେବଳ ମୁଖ୍ୟ ଟନେଲ ନିର୍ମାଣ କରାଗଲା, ତାକୁ ନେଇ ପ୍ରଶ୍ନ ଉଠିଛି । ଏନେଇ ସରକାର କିମ୍ବା କାମ କରୁଥିବା ସଂସ୍ଥା ପକ୍ଷରୁ କୌଣସି ସ୍ପଷ୍ଟୀକରଣ ସାମ୍ନାକୁ ଆସିନି ।