ଶ୍ରୀନଗର: କିଛି ଦିନର ବ୍ୟବଧାନ ପରେ ଆଜି ଘାଟିରେ ପୁଣି ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଛି । ଦକ୍ଷିଣ କାଶ୍ମୀର କୂପଓ୍ବାରାର ମଚଲ ସେକ୍ଟରରେ ଆଜି (ଗୁରୁବାର) ପୂର୍ବାହ୍ନରୁ ଆରମ୍ଭ ହୋଇଥିବା ଏନକାଉଣ୍ଟରରେ 5 ଆତଙ୍କୀଙ୍କୁ ନିପାତ କରିବାରେ ସେନାକୁ ସଫଳତା ମିଳିଛି । ଏବେ ମଧ୍ୟ ଅପରେସନ ଜାରି ରହିଥିବା ସ୍ଥାନୀୟ ପୋଲିସ ସୂତ୍ରରୁ ସୂଚନା ମିଳିଛି ।
କାଶ୍ମୀରର ଜୋନ ପୋଲିସ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛି, ନିର୍ଦ୍ଧିଷ୍ଟ ସୂଚନା ଅନୁସାରେ, ଆଜି କୂପଓ୍ବାରାରେ ଆତଙ୍କୀଙ୍କ ଗତିବିଧି ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ ଓ ସେନା ମିଳିତ ଅପରେସନ ଆରମ୍ଭ କରିଥିଲେ । ଏବେ ସୁଦ୍ଧା 5 ଆତଙ୍କୀଙ୍କୁ ନିପାତ କରାଯାଇଛି । ଅପରେସନ ଜାରି ରହିଛି । ସ୍ଥାନୀୟ ଅଞ୍ଚଳକୁ କର୍ଡନ କରି ସେନା ତାର ଅପରେସନ ଜାରି ରଖିଛି । ଅନ୍ୟ କିଛି ଆତଙ୍କୀ ଆତ୍ମଗୋପନ କରୁଥିବା ସନ୍ଦେହ କରାଯାଉଛି । ଅଧିକ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଅପରେସନ ଜାରି ରହିଛି ।
ଆଜିର ଅପରେସନ ସମ୍ପର୍କରେ କାଶ୍ମୀର ପୋଲିସ ବ୍ୟତୀତ ସେନାର ଚିନ୍ନାର କ୍ରପସ ମଧ୍ୟ ଟ୍ବିଟରେ ସୂଚନା ଦେଇଛି । ଇନପୁଟ ସୂଚନା ଆଧାରରେ ସେନା, ସ୍ଥାନୀୟ କାଶ୍ମୀର ପୋଲିସ ଓ ଇଣ୍ଟେଲିଜେନ୍ସି ଏଜେନ୍ସି ଦକ୍ଷିଣ କାଶ୍ମୀରର ଏଲଓସି ନିକଟବର୍ତ୍ତୀ କୂପଓ୍ବାରା ସେକ୍ଟରରେ ଏହି ଅପରେସନ ଜାରି ରହିଥିବା ଏକ୍ସରେ ସୂଚନା ଦେଇଛି ଚିନ୍ନାର କ୍ରପ୍ସ ।