ଶ୍ରୀନଗର:ଘାଟିରେ ଆତଙ୍କୀ ନିରୋଧୀ ଅପରେସନରେ ସୁରକ୍ଷା ବଳକୁ ସଫଳତା ମିଳିଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଲସ୍କର-ଏ-ତୋଇବାର 5 ଆତଙ୍କବାଦୀ ନିପାତ ହୋଇଥିବା ସୂଚନା । ଗୁରୁବାର କୁଲଗାମରେ ଜିଲ୍ଲାର DH ପୋରା ଅଞ୍ଚଳର ସାମନୋରେ ସୁରକ୍ଷାକର୍ମୀ ଏବଂ ଆତଙ୍କୀ ମୁହାଁମୁହିଁ ହୋଇଥିଲେ । ଏନ୍କାଉଣ୍ଟରରେ ଆଜି 5 ଆତଙ୍କୀ ନିହତ ହୋଇଛନ୍ତି । ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-ଘାଟିରେ ଏନକାଉଣ୍ଟର ଆରମ୍ଭ, ଆତଙ୍କୀଙ୍କୁ କର୍ଡନ କରିଛି ସୁରକ୍ଷାବଳ
DH ପୋରା ଅଞ୍ଚଳରେ ଆତଙ୍କୀ ଗତିବିଧି ନେଇ ବିଶେଷ ସୁତ୍ରରୁ ସୂଚନା ମିଳିବା ପରେ ପୋଲିସ ଓ ସୁରକ୍ଷାବଳ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଏକାଧିକ ଆତଙ୍କବାଦୀ ଆତ୍ମଗୋପନ କରିଥିବା ସ୍ଥାନକୁ କର୍ଡନ କରିଥିଲା । ଆଜି ଏନକାଉଣ୍ଟରର ଦ୍ବିତୀୟ ଦିନରେ 5 ଆତଙ୍କୀ ନିପାତ ହୋଇଥିବା ଜଣାପଡ଼ିଛି । ଏବେ ମଧ୍ୟ ଅନ୍ୟ କିଛି ଆତଙ୍କବାଦୀ ଆଖପାଖ ସ୍ଥାନରେ ଲୁଚି ରହିଥିବା ସନ୍ଦେହରେ ଅପରେସନ ଜାରି ରହିଛି । ନିପାତ ଆତଙ୍କୀଙ୍କ ପରିଚୟ ସ୍ପଷ୍ଟ କରାଯାଇନି ।
ଏହା ମଧ୍ୟ ପଢନ୍ତୁ-ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଜଣେ ଆତଙ୍କୀ ସଫା
କାଶ୍ମୀର ପୋଲିସ କହିଛି ଯେ, ଗୁରୁବାର ସନ୍ଧ୍ୟା ସମୟରେ ନେହାମା ଗ୍ରାମରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହି ସମୟରେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ ଆତଙ୍କବାଦୀ। ଯବାବରେ ସୁରକ୍ଷାକର୍ମୀ ମଧ୍ୟ ଗୁଳି ଚଲାଇଥିଲେ । ଆତଙ୍କବାଦୀ ଲୁଚିଥିବା ସ୍ଥାନକୁ କଡନ କରାଯିବା ପରେ ରାତିରେ ଏନକାଉଣ୍ଟର ବନ୍ଦ ରହିଥିଲା। ଏହାପରେ ଆଜି ସକାଳ ସମୟରେ ପୁଣି ଆରମ୍ଭ ହୋଇଥିଲା ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ 5 ଲସ୍କର ଇ ତୋଇବାର ଆତଙ୍କୀ ନିହତ ହୋଇଛନ୍ତି ।
ନିକଟରେ କାଶ୍ମୀରରେ କାର୍ଯ୍ୟରତ ଏକାଧିକ ଅଣସ୍ଥାନୀୟଙ୍କୁ ଘାଟିରେ ଆତଙ୍କୀଙ୍କ ଦ୍ବାରା ଟାର୍ଗେଟ କରାଯାଇଛି । ଜଣେ ପୋଲିସ ଅଧିକାରୀ କ୍ରିକେଟ୍ ଗ୍ରାଉଣ୍ଡ୍ରେ ପ୍ରାକ୍ଟିସ କରୁଥିବା ବେଳେ ଆତଙ୍କୀଙ୍କ ଆକ୍ରମଣର ଶିକାର ହୋଇଥିଲେ । ଆତଙ୍କୀଙ୍କ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ସୁରକ୍ଷାବଳ ଘାଟିରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଥିଲା । ଅନ୍ୟପଟେ ଶୀତ ଋତୁରେ ପାକିସ୍ତାନ ପଟୁ ଭାରତୀୟ ସୀମାରେ ଆତଙ୍କବାଦୀ ଅନୁପ୍ରବେଶ କରିବାର ଯଥେଷ୍ଟ ଆଶଙ୍କା ରହିଥାଏ । ଏହାକୁ ପ୍ରତିହତ କରିବା ଲାଗି ସୀମାସୁରକ୍ଷା ବଳ ମଧ୍ୟ ନିୟନ୍ତ୍ରଣ ରେଖାରେ ସୁରକ୍ଷା ଓ ପାଟ୍ରୋଲିଂକୁ ବୃଦ୍ଧି କରିଛି । ଘାଟିରେ ଆତଙ୍କୀ ନିରୋଧୀ ଅପରେସନ ଜାରି ରହିଛି ।