ରାଞ୍ଚି:ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଝାଡ଼ଖଣ୍ଡରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଚାଇବାସା ଜିଲ୍ଲାରେ ପୁଣି ରକ୍ତର ହୋଲି ଖେଳିଛନ୍ତି ଲାଲବାହିନୀ । ଗତକାଲି(ସୋମବାର) ବିଳମ୍ବିତ ରାତିରେ ଚାଇବସାରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଦୁର୍ଦ୍ଦାନ୍ତ ନକ୍ସଲ ମିସିର ବେସରା ସହ ଏନ୍କାଉଣ୍ଟରରେ ଝାଡ଼ଖଣ୍ଡ ଜାଗୁଆରର ଦୁଇ ଜଣ ଯବାନ ଶହୀଦ ହୋଇଯାଇଛନ୍ତି । ମୃତକ ହେଲେ ଇନ୍ସପେକ୍ଟର ଅମିତ ତିୱାରୀ ଓ ହାବିଲଦାର ଗୌତମ କୁମାର । ୪ ଦିନ ପୂର୍ବରୁ ସିଂହଭୂମ ଜିଲ୍ଲା କୋହ୍ଲାଣ ଜଙ୍ଗଲରେ ନକ୍ସଲ ଆକ୍ରମଣରେ ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆ ଶହୀଦ ହୋଇଥିଲେ ।
ସୂଚନା ଅନୁଯାୟୀ, ଗତକାଲି ଚାଇବାସା ଅଞ୍ଚଳରେ ନକ୍ସଲଙ୍କ ଗତିବିଧି ନେଇ ଖବର ପାଇବା ପରେ ଝାଡ଼ଖଣ୍ଡ ଜଗୁଆରର ଏକ ଟିମ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଅପରେସନ ସାରି ଫେରୁଥିବା ବେଳେ ନକ୍ସଲମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଅତର୍କିତ ଗୁଳିମାଡ଼ କରିଥିଲେ । ଏଥିରେ ଇନ୍ସପେକ୍ଟର ଅମିତ ତିୱାରୀ ଓ ହାବିଲଦାର ଗୌତମ କୁମାରଙ୍କ ଦେହରେ ଗୁଳି ବାଜିଥିଲା । ଦୁଇ ଜଣଯାକ ଘଟଣାସ୍ଥଳରେ ହିଁ ଶହୀଦ ହୋଇଯାଇଥିଲେ । ପୋଲିସ ପାଲଟା ଗୁଳି ଚାଳନା କରିବାରୁ ନକ୍ସଲମାନେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ଫେରାର୍ ହୋଇଯାଇଥିଲେ ।
ଏହାମଧ୍ୟ ପଢନ୍ତୁ : ଝାଡ଼ଖଣ୍ଡରେ ପୋଲିସ ଓ ନକ୍ସଲ ମଧ୍ୟରେ ଏନକାଉଣ୍ଟର: ଓଡ଼ିଆ ଯବାନ ଶହୀଦ