ନୂଆଦିଲ୍ଲୀ: କୋରୋନା ଆକ୍ରାନ୍ତଙ୍କ ମୃତଦେହ ପରିଚାଳନାରେ ଅବ୍ୟବସ୍ଥା ହେଉଥିବା ଅଭିଯୋଗ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଜାତୀୟ ମାନବ ଅଧିକାର ଆୟୋଗ(NHRC) ଶୁକ୍ରବାର କେନ୍ଦ୍ର, ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଏକ ନିର୍ଦ୍ଦେଶ ଜାରି କରିଛି । ଏଥିରେ ମୃତ ବ୍ୟକ୍ତିଙ୍କ ସମ୍ମାନ ତଥା ଅଧିକାରର ସୁରକ୍ଷା ପ୍ରତି ଧ୍ୟାନ ଦେବା ପାଇଁ ଏନଏଚଆରସି ନିର୍ଦ୍ଦେଶ ଦେଇଛନ୍ତି ।
ଦେଶରେ କିଛି ଶ୍ମଶାନରେ ଏକାଧିକ କୋଭିଡ ଆକ୍ରାନ୍ତଙ୍କ ମୃତଦେହକୁ ଗୋଟିଏ ସ୍ଥାନରେ ଦାହ କରାଯାଉଛି । ଏହାଦ୍ବାରା ଜଣେ ମୃତବ୍ୟକ୍ତିର ଅଧିକାର କ୍ଷୁଣ୍ଣ ହେଉଛି ବୋଲି ଆୟୋଗ କହିଛନ୍ତି । କିଛି ହସ୍ପିଟାଲରେ ବିଲ ବୈଠ ହେଉନଥିବାରୁ ହସ୍ପିଟାଲ ପ୍ରଶାସନ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ମଧ୍ୟ ଅନୁମତି ଦେଉନାହାନ୍ତି । ଫଳରେ ହସ୍ପିଟାଲରେ ପଡି ରହୁଛି ମୃତଦେହ । ତେବେ ଏଭଳି ପରିସ୍ଥିତିରେ ମୃତଦେହକୁ ସୁରକ୍ଷିତ ଅବସ୍ଥାରେ ଷ୍ଟୋରରେ ରଖିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।