ନୂଆଦିଲ୍ଲୀ: ଚାରି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନକୁ ନେଇ 6 ଏପ୍ରିଲର ଦିନ ଥିଲା ବେଶ ଗୁରୁତ୍ବପୂର୍ଣ୍ଣ । ମଙ୍ଗଳବାର ପଶ୍ଚିମବଙ୍ଗର ତୃତୀୟ, ଆସାମର ଶେଷ ପର୍ଯ୍ୟାୟ ମତଦାନ ଥିବା ବେଳେ ସେପଟେ କେରଳ, ତାମିଲନାଡୁ ଓ ପୁଡୁଚେରୀର ଗୋଟିଏ ପର୍ଯ୍ୟାୟ ମତଦାନରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ଜନସାଧାରଣ ।
ପ୍ରଚଣ୍ଡ ଖରା, ଗରମ ଓ ଗୁଳୁଗୁଳି ମଧ୍ୟରେ ମତଦାତାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଜବରଦସ୍ତ ଉତ୍ସାହ । ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଅନୁଯାୟୀ, ସଂଧ୍ୟା 7ଟା ସୁଦ୍ଧା ଆସାମରେ 82.29 ପ୍ରତିଶତ, କେରଳରେ 79.04 ପ୍ରତିଶତ, ପୁଡୁଚେରୀରେ 78.13 ପ୍ରତିଶତ, ତାମିଲନାଡୁରେ 65.11 ପ୍ରତିଶତ ଓ ପଶ୍ଚିମବଙ୍ଗରେ 77.68 ପ୍ରତିଶତ ହୋଇଛି ମତଦାନ ।
ହିଂସା ଘଟଣା ମଧ୍ୟରେ ପଶ୍ଚିମବଙ୍ଗରେ 77.68 ପ୍ରତିଶତ ମତଦାନ
ପଶ୍ଚିମବଙ୍ଗରେ ମଙ୍ଗଳବାର ହୋଇଥିବା ତୃତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ରାଜ୍ୟର ଅନେକ ଅଞ୍ଚଳରୁ ହିଂସାର ଖବର ସାମ୍ନାକୁ ଆସିଥିଲା । ଏହାସତ୍ତ୍ବେ ରାଜ୍ୟରେ 77.68 ପ୍ରତିଶତ ମତଦାନ ରେକର୍ଡ କରାଯାଇଛି ।
ଆସାମର 40 ସିଟ୍ରେ ଶାନ୍ତିପୂର୍ଣ୍ଣ ମତଦାନ
ସଂଧ୍ୟା 7ଟା ସୁଦ୍ଧା ଆସାମରେ 82.29 ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ଆସାମର ତୃତୀୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନରେ 12 ଜିଲ୍ଲାର 40 ବିଧାନସଭା ସିଟରେ ହୋଇଛି ଶାନ୍ତିପୂର୍ଣ୍ଣ ମତଦାନ ।