ହାଇଦ୍ରାବାଦ: ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ବିଜେପି ସରକାର ଗଢ଼ିବା ଏକ ପ୍ରକାର ନିଶ୍ଚିତ ହୋଇଛି । ଏହାପରେ ମୋଦି ଟ୍ୱିଟ୍ ମାଧ୍ୟମରେ ଜନତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଉପରୋକ୍ତ ତିନି ରାଜ୍ୟରେ କଂଗ୍ରେସ ସରକାର ଗଢ଼ିବା ନେଇ ଆଲୋଚନା ହେଉଥିଲା । ଭୋଟର ସବୁ ଆକଳନକୁ ଭୁଲ ପ୍ରମାଣିତ କରାଇଛନ୍ତି । ବିଶେଷ କରି ଛତିଶଗଡ଼ରେ ବିଜେପିର ପ୍ରତ୍ୟାବର୍ତ୍ତନ କୌଣସି ଚମତ୍କାରଠାରୁ କମ୍ ନୁହେଁ । କାରଣ ଏଠାରେ କଂଗ୍ରେସର ହାୱା ରହିଥିଲା ।
ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ବିଜେପି ପ୍ରାର୍ଥୀ ଭାରି ବହୁମତ ସହ ଲିଡ୍ କରୁଛନ୍ତି । ଅଧାରୁ ଅଧିକ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି । ଏହି ସବୁ ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ନିଶ୍ଚିତ ହେଲାଣି । ଏହାପରେ ଏବେ ଟ୍ୱିଟ୍ ମାଧ୍ୟମରେ ବିଜେପି ନେତା, କର୍ମୀ ଓ ଜନତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, "ଆମେ ଜନତା ଜନାର୍ଦ୍ଦନ ନିକଟରେ ନତ ମସ୍ତକ । ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶର ଫଳାଫଳ ଦର୍ଶାଉଛି ଜନତା ବିକାଶ, ଗୁଡ୍ ଗଭାର୍ଣ୍ଣାନ୍ସ ବା ସୁଶାସନକୁ ଆପଣାଇଛନ୍ତି । ଯେଉଁଠି ବିଜେପି ସବୁବେଳେ ଜୋର ଦେଇ ଆସିଛି।"
ସେହିଭଳି ପ୍ରଧାନମନ୍ତ୍ରୀ ଜନତାଙ୍କୁ ଧନ୍ୟବାଦ ଦେବାକୁ ମଧ୍ୟ ଭୁଲି ନାହାନ୍ତି । ସେ କହିଛନ୍ତି, "ମୁଁ ତିନି ରାଜ୍ୟର ଜନତାଙ୍କୁ ସେମାନଙ୍କ ନିସର୍ତ୍ତ ସମର୍ଥନ ପାଇଁ ଧନ୍ୟବାଦ ଦେବାକୁ ଚାହୁଁଛି । ମୁଁ ସେମାନଙ୍କୁ ଆଶ୍ବସ୍ତ କରୁଛି ଯେ, ସେମାନଙ୍କ ବିକାଶ ପାଇଁ ମୁଁ ନିରବିଚ୍ଛିନ୍ନ ସେବା ଜାରି ରଖିବି ।"
ସେହିଭଳି ଦଳୀୟ ସଦସ୍ୟଙ୍କୁ ବିଷୟରେ କହିବାକୁ ଯାଇଁ ନରେନ୍ଦ୍ର ମୋଦି କହିଛନ୍ତି, "ଦଳର ସମସ୍ତ କର୍ମନିଷ୍ଠ କର୍ମକର୍ତ୍ତାଙ୍କୁ ସ୍ବତନ୍ତ୍ର ଭାବରେ ଧନ୍ୟବାଦ। ସେମାନେ ବିଶ୍ରାମ ଚିନ୍ତା ନକରି ସରକାରଙ୍କ ବିକାଶ ଏଜେଣ୍ଡାକୁ ଲୋକଙ୍କ ନିକଟରେ ପହଞ୍ଚାଇଥିଲେ ।"
ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ବିଜେପି ଅବିଶ୍ୱସନୀୟ ପ୍ରଦର୍ଶନ କରିଛି । ଏଠାରେ କଂଗ୍ରେସ ନିଜ ରଣକୌଶଳରେ ଫେଲ୍ ମାରିଛି । ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ପୁନଃ ସରକାର ଗଠନ କରିବା ଏକ ପ୍ରକାର ନିଶ୍ଚିତ ଥିବା ଏକଜିଟ୍ ପୋଲ୍ ଦର୍ଶାଇ ଥିଲା । ତେବେ ଏହାକୁ ଭୁଲ୍ ପ୍ରମାଣିତ କରି ଦେଖାଇଛନ୍ତି ଭୋଟର । କଂଗ୍ରେସ ତେଲେଙ୍ଗାନାରେ ନିଜ ମ୍ୟାଜିକ ଦେଖାଇଥିବା ବେଳେ ବାକି ସବୁ ରାଜ୍ୟରେ କମାଲ କରି ପାରିନି । ତେବେ ସେ ଯାହା ବି ହେଉ, ହିନ୍ଦୀ ଭାଷାଭାଷୀ ରାଜ୍ୟରେ ପ୍ରଦର୍ଶନ ନେଇ ବିଜେପି ୟୁନିଟ୍ରେ ଏବେ ଉତ୍ସାହର ମାହୋଲ ରହିଛି ।