ନୂଆଦିଲ୍ଲୀ: ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାର କେତେକ ସଂଶୋଧନ ଆଣିବାକୁ ଯାଉଛନ୍ତି । ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ପ୍ରକ୍ରିୟାରେ ସୁଧାର ଆଣୁଛନ୍ତି କେନ୍ଦ୍ର ସରକାର । ଆଜି ଲୋକସଭାରେ ଉପସ୍ଥାପିତ ହେବ ଇଲେକ୍ସନ୍ ଲ’ ଆମେଣ୍ଡମେଣ୍ଟ ବିଲ୍ 2021 (Election Laws Amendment Bill) । ବିଲ୍ ପାରିତ ହେବା ପରେ ଆଧାର ସହ ଭୋଟର ଆଇଡିକୁ ଲିଙ୍କ୍ କରାଯିବ । ଫଳରେ ନିର୍ବାଚନରେ ହେଉଥିବା ଜାଲିଆତିକୁ ରୋକା ଯାଇ ପାରିବ । ଜଣେ ବ୍ୟକ୍ତି ଏକାଧିକ ସ୍ଥାନରେ ଭୋଟ ଦେଇ ପାରିବେ ନାହିଁ । ନକଲି ଭୋଟ ପରିଚୟପତ୍ର ସଂକ୍ରାନ୍ତ ସମସ୍ୟାକୁ ଏଡାଇବା ପାଇଁ ସରକାର ଚିନ୍ତା କରୁଛନ୍ତି ।
ଏହି ବିଲକୁ ଡିସେମ୍ବର ୧୫ ତାରିଖରେ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ପ୍ରଦାନ କରାଯାଇଥିଲା । ବିଲ୍ ଗୃହିତ ହେଲେ ଭୋଟର ପରିଚୟ ପତ୍ରରେ ଆଧାର କାର୍ଡ ସଂଯୋଗ (Aadhaar-Voter ID linking) କରାଯିବା ଲାଗି ନିର୍ବାଚନ କମିଶନଙ୍କୁ ଅନୁମତି ମିଳିବ । ଭୋଟର ତାଲିକାକୁ ବଳିଷ୍ଠ କରିବା, ଭୋଟଦାନ ପ୍ରକ୍ରିୟାରେ ଅଧିକ ଲୋକଙ୍କୁ ସାମିଲ କରିବା, ନିର୍ବାଚନ କମିଶନଙ୍କୁ ଅଧିକ କ୍ଷମତା ପ୍ରଦାନ କରିବା ଏବଂ ଜାଲିଆତିକୁ ରୋକିବା ପାଇଁ ସରକାର ଏହି ସଂସ୍କାର ଆଣିଥିବା କହିଛନ୍ତି । ଆଧାର ଲିଙ୍କ ହେବା ଦ୍ବାରା ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିହେବ । ଏହା ସହ ଜଣେ ଏକାଧିକ ସ୍ଥାନରେ ଭୋଟ ଦେଇ ପାରିବେ ନାହିଁ ।