ଲକ୍ଷ୍ନୌ: ସମସ୍ତ ଅସୁବିଧାକୁ ପଛରେ ପକାଇ ମତଦାନ ପ୍ରତି ନିଜର ଦାୟିତ୍ବବୋଧକୁ ପ୍ରମାଣ କରିଛନ୍ତି ଉତ୍ତରପ୍ରଦେଶର ଜଣେ ବୃଦ୍ଧ । ଆଜି(ସୋମବାର) ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଜାରି ରହିଥିବାବେଳେ ସେ ନିଜ ଭିନ୍ନକ୍ଷମ ପତ୍ନୀଙ୍କୁ ରିକ୍ସାରେ ଧରି ବୁଥରେ ପହଞ୍ଚିଛନ୍ତି । ବୃଦ୍ଧ ଜଣକ ନିଜେ ଭଲରେ ଅଣ୍ଟା ସଳଖି ଠିଆ ହୋଇପାରୁନଥିବା ବେଳେ ଏପରି ଢଙ୍ଗରେ ବୁଥରେ ପହଞ୍ଚି ସମସ୍ତଙ୍କ ପାଇଁ ଉଦାହରଣ ସାଜିଥିବାବେଳେ ଚର୍ଚ୍ଚାର ବିଷୟ ପାଲଟିଥିବା ଦେଖିବାକୁ ମିଳିଛି ।
ଆଜମଗଡ଼ଠାରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ହରିଲାଲ ପ୍ରଜାପତି(୭୬)ଙ୍କ କହିବାନୁସାରେ ସେ ଅନ୍ୟ କୌଣସି ଯାନରେ ଆସିବାକୁ ଆର୍ଥିକ ଦୃଷ୍ଟିରୁ ସକ୍ଷମ ନୁହେଁ । ତାଙ୍କର ଅଣ୍ଟା ଯନ୍ତ୍ରଣା ଥିବାବେଳେ ମହିଳା ଜଣକ ଭିନ୍ନକ୍ଷମ । ତାଙ୍କର କୌଣସି ଆବଶ୍ୟକତା ନାହିଁ । ତେବେ ୫୦୦ କି ୧୦୦୦ ଟଙ୍କା( ଭୋଟ ଦଳକୁ ଦେବା ପାଇଁ ଟଙ୍କା ଦେଇଥିବା ନିର୍ଦ୍ଦିଷ୍ଟ ରାଜନୈତିକ ଦଳ) ତାଙ୍କୁ ସୁସ୍ଥ କରାଇ ପାରିବ କି ବୋଲି ସେ ପ୍ରଶ୍ନ କରିଛନ୍ତି ।
ହରିଲାଲଙ୍କ ପତ୍ନୀ ଅଝୁ(୭୦) ଏ ନେଇ କହିଛନ୍ତି ଯେ ସେ ଦିନେ ପଡ଼ିଯିବା ପରେ ତାଙ୍କର ହାତ ଭାଙ୍ଗିଯିବା ସହିତ ଅନ୍ୟ ଅଙ୍ଗରେ ମଧ୍ୟ ଆଘାତ ଲାଗିଥିଲା । ଫଳରେ ସେ ସିଧା ଠିଆ ହୋଇପାରନ୍ତିନି । ଏଭଳି ସ୍ଥିତିରେ ମଧ୍ୟ ସେମାନେ ତାଙ୍କ ଭୋଟକୁ ବ୍ୟର୍ଥ ଦେବାକୁ ଚାହୁଁନଥିବାରୁ ଭୋଟ ଦେବାକୁ ପହଞ୍ଚିଛନ୍ତି ବୋଲି କହିଛନ୍ତି । ତେବେ ଏହି ଦମ୍ପତି ସରକାରଙ୍କ ସହାୟତା ଆଶାରେ ଭୋଟ ଦେବାକୁ ପହଞ୍ଚିଥିବା ମଧ୍ୟ କହିଛନ୍ତି ।