ଓଡିଶା

odisha

ETV Bharat / bharat

ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ପିଟିପିଟି ହତ୍ୟା - Elderly couple beaten to death

ଝାଡଖଣ୍ଡରେ ବୀଭତ୍ସ ହତ୍ୟାକାଣ୍ଡ । ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ପିଟି ପିଟି ହତ୍ୟା କଲେ ଗ୍ରାମବାସୀ । ଏହି ଘଟଣାରେ 10 ଗିରଫ । ଅଧିକ ପଢନ୍ତୁ

old couple beaten to death in jharkhand
old couple beaten to death in jharkhand

By

Published : May 4, 2023, 12:01 PM IST

ରାଞ୍ଚି: ଝାଡଖଣ୍ଡର ଚାନ୍ଦବା ପୋଲିସ ଷ୍ଟେସନ ଅଞ୍ଚଳରେ ବୀଭତ୍ସ ହତ୍ୟାକାଣ୍ଡ । ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ପିଟି ପିଟି ହତ୍ୟା କଲେ ଗ୍ରାମବାସୀ । ମୃତ ଦମ୍ପତି ହେଉଛନ୍ତି ଫୈସଲା ଗ୍ରାମର ସିବଲ ଗଞ୍ଜୁ ଏବଂ ତାଙ୍କ ପତ୍ନୀ ବୋନି ଦେବୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତ ମଙ୍ଗଳବାର ଏହି ଘଟଣା ଘଟିଥିବା କୁହାଯାଉଛି ।

ବୃଦ୍ଧ ଦମ୍ପତିଙ୍କୁ ପିଟିପିଟି ହତ୍ୟା:ମିଳିଥିବା ସୂଚନା ଅନୁଯାୟୀ, ଚାନ୍ଦବା ପୋଲିସ ଷ୍ଟେସନ ଅଧୀନରେ ଥିବା ଫୈସଲା ଗ୍ରାମରେ ରୁହନ୍ତି ସିବଲ ଗଞ୍ଜୁ ଏବଂ ବୋନି ଦେବୀ । ଏହି ଦମ୍ପତି ଗୁଣିଗାରେଡି କରୁଥିବା ଗ୍ରାମବାସୀ ସନ୍ଦେହ କରୁଥିଲେ । ଗୁଣିଗାରେଡି ଦ୍ବାରା ଗ୍ରାମର ଦୁଇ ଯୁବକଙ୍କୁ ଏହି ଦମ୍ପତି ହତ୍ୟା କରିଥିବା ଗ୍ରାମବାସୀ ଅଭିଯୋଗ କରି ଉଭୟଙ୍କୁ ପିଟିପିଟି ହତ୍ୟା କରିଛନ୍ତି । ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

ଚାଷ କରି ପରିବାର ଚଳାନ୍ତି ବୃଦ୍ଧ ଦମ୍ପତି: ସିବଲ ଗଞ୍ଜୁ ଏବଂ ବୋନି ଦେବୀ ଚାଷ କାମ କରି ପରିବାର ଚଳାନ୍ତି । ସିବଲ ଗଞ୍ଜୁ ଅନେକ ସମୟରେ ଝଡାଫୁଙ୍କା କରନ୍ତି । ତେବେ ଦୁଇଦିନ ପୂର୍ବେ ଗାଁର ଦୁଇ ଜଣ ଯୁବକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଝଡାଫୁଙ୍କା କାରଣରୁ ଦୁଇ ଯୁବକଙ୍କର ମୃତ୍ୟୁ ହୋଇଥିବା ଗ୍ରାମବାସୀ ସନ୍ଦେହ କରିଥିଲେ । ଗ୍ରାମବାସୀ ଏଥିପାଇଁ ସିବଲ ଏବଂ ତାଙ୍କ ପତ୍ନୀଙ୍କୁ ଦାୟୀ କରିଥିଲେ ।

ଏହାପରେ ମୃତ୍ୟୁର କାରଣ ଜାଣିବା ପାଇଁ ଅନ୍ୟ ଏକ ଗାଁରୁ ଜଣେ ତାନ୍ତ୍ରିକକୁ ଗ୍ରାମବାସୀ ଡାକିଥିଲେ । ତାନ୍ତ୍ରିକଙ୍କ କହିବା ଅନୁଯାୟୀ ସିବଲଙ୍କ ଯାଦୁ ବିଦ୍ୟା ଯୋଗୁଁ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ଏହା ଜାଣିବା ପରେ ଗ୍ରାମବାସୀ କ୍ରୋଧିତ ହୋଇ ସିବଲ ଓ ତାଙ୍କ ପତ୍ନୀଙ୍କୁ ଦଣ୍ଡ ଦେବା ପାଇଁ ଚିନ୍ତା କରିଥିଲେ । ଏନେଇ ଗ୍ରାମରେ ଗତ ମଙ୍ଗଳବାର ପଞ୍ଚାୟତ ବସିଥିଲା । ସିବଲଙ୍କ ପରିବାରକୁ ମଧ୍ୟ ପଞ୍ଚାୟତ ବୈଠକରେ ସାମିଲ ହେବାକୁ ଡକାଯାଇଥିଲା । ଶେଷରେ ବୃଦ୍ଧ ଦମ୍ପତିଙ୍କୁ ଦୋଷୀ ସାବ୍ୟସ୍ତ କରି ପିଟିପିଟି ହତ୍ୟା କରିଥିଲେ ଗ୍ରାମବାସୀ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ 12 ଜଣ ଗ୍ରାମବାସୀଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ପରେ 10 ଜଣଙ୍କୁ ଗିରଫ କରିଛି ପୋଲିସ ।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରାଯାଇଛି । ଏହି ଘଟଣାରେ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଅଲୋଚନାର ବିଷୟ ପାଲଟିଛି ।

ABOUT THE AUTHOR

...view details