ମୁମ୍ବାଇ:'ତୁ ମଟନ ଖାଇଲୁ ବୋଲି ଇଣ୍ଡିଆ ବିଶ୍ବକପ୍ ମ୍ୟାଚ ହାରିଲା' । ଏତିକି କହି ସାନଭାଇକୁ ଲୁହା ରଡରେ ପିଟି ପିଟି ନିର୍ମମ ଭାବେ ହତ୍ୟା କଲା ବଡ଼ଭାଇ । କଥାଟା ଶୁଣିବାକୁ ବିଶ୍ବାସ ହେଉନଥିଲେ ମଧ୍ୟ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ଏଭଳି ଜଘନ୍ୟ କାଣ୍ଡ ଘଟିଛି । ଇଣ୍ଡିଆ ମ୍ୟାଚ୍ ହାରିବାରୁ ରାଗରେ ଜଣେ ଯୁବକ ନିଜ ସାନଭାଇକୁ ହତ୍ୟା କରିଛି । ମୃତକ ହେଲେ ୨୮ ବର୍ଷୀୟ ଅଙ୍କିତ ଇଙ୍ଗୋଲେ । ପୋଲିସ ଅଭିଯୁକ୍ତ ବଡଭାଇ ପ୍ରବୀଣ ଇଙ୍ଗୋଲେକୁ ଗିରଫ କରିନେଇଛି ।
ସୂଚନା ଅନୁସାରେ, ରମେଶ ଇଙ୍ଗୋଲେ ନିଜର ବଡପୁଅ ପ୍ରବୀଣ ଓ ସାନପୁଅ ଅଙ୍କିତ ସହ ବଡମେରା ଥାନା ଅନ୍ତର୍ଗତ ଅଞ୍ଜନଗାଁ ବାରୀରେ ରହୁଥିଲେ । ରବିବାର ବିଶ୍ବକପ୍ ଫାଇନାଲ ମ୍ୟାଚ ଦିନ ଅଙ୍କିତ ନିଜ ବାପା ସହ ପାଖରେ ରହୁଥିବା ଦାଦାଙ୍କ ଘରକୁ ଯାଇଥିଲେ । ସେଠାରେ ଦୁହେଁ ମଟନ ଖାଇଥିଲେ । ଖାଇପିଇ ପୂର୍ବାହ୍ନ ୨ଟା ବେଳକୁ ନିଜ ଘରକୁ ଫେରିଥିଲେ ଏବଂ ବଡଭାଇ ପ୍ରବୀଣ ପାଇଁ ବି ସାଙ୍ଗରେ ମଟନ ଆଣି ଆସିଥିଲେ । ସେହି ସମୟରେ ପ୍ରବୀଣ ନିଶାରେ ଚୁର୍ ହୋଇ ଭାରତ-ଅଷ୍ଟ୍ରେଲିଆ ଫାଇନାଲ ଦେଖୁଥିଲା ।
ସନ୍ଧ୍ୟାରେ ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରିବା ପରଠୁ ନିଶାସକ୍ତ ପ୍ରବୀଣ ନିଜ ବାପା ଓ ଭାଇକୁ ଗାଳିଗୁଲଜ କରିବାରେ ଲାଗିଥିଲା । ରାତି ୯ଟାରେ ଯେତେବେଳେ ଭାରତ ମ୍ୟାଚ୍ ହାରିଗଲା ସେତେବେଳେ ପ୍ରବୀଣ ମୁଣ୍ଡକୁ ପିତ ଚହଟି ଯାଇଥିଲା । ତମେମାନେ ମଟନ ଖାଇବାରୁ ଭାରତ ହାରିଗଲା ବୋଲି କହି ସେ ବାପା ଓ ସାନଭାଇକୁ ଆହୁରି ଅସଭ୍ୟ ଭାଷାରେ ଗାଳିଗୁଲଜ କଲା । ଏହି ସମୟରେ ରମେଶ ତା' ଉପରକୁ ମୋବାଇଲ ଫୋନ ଫିଙ୍ଗି ଦେଇଥିଲେ । ଏଥିରେ ରାଗିଯାଇ ପ୍ରବୀଣ ଲୁହା ରଡରେ ନିଜ ବାପାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା ।