ପାଟନା: 500 ଟଙ୍କା ପାଇଁ ସଇତାନ ସାଜିଲା ଭାଇ । ବାଡିରେ ସାନ ଭାଇକୁ ଅତି ନିର୍ମମ ଭାବେ ପିଟି ପିଟି କଲା ହତ୍ୟା । ବିହାରର କୈମୁର ଜିଲ୍ଲାରେ ଘଟିଛି ଏହି ବର୍ବର କାଣ୍ଡ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ଏବଂ ହତ୍ୟାକାରୀ ଭାଇକୁ ଗିରଫ କରିଛି । ତେବେ ସାମାନ୍ୟ କେଇ ପଇସା ପାଇଁ ରକ୍ତର ଭାଇକୁ ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ଅଭିଯୁକ୍ତକୁ ପଚରାଉଚରା କରାଯିବାରୁ ସେ ମଜୁରିଆ ଭାବେ କାମ କରୁଥିବା ଜଣାଯାଇଛି । ସେ କହିଛି କି ତା'ର ସାନ ଭାଇ ତା' ପଇସା ନେଇ ମଦ ପିଉଥିଲା । ବାରମ୍ବାର ତାକୁ ମଦ୍ୟପାନ କରିବାକୁ ମନା କରିବା ସତ୍ତ୍ବେ ମଧ୍ୟ ସେ ସେଥିରୁ ନିବୃତ୍ତ ହୋଇନଥିଲା । ପୂର୍ବରୁ ଅଭିଯୁକ୍ତ ନିଜ ଭାଇକୁ 500 ଟଙ୍କା ଦେଇଥିବାବେଳେ ତାହାକୁ ଫେରାଇବାକୁ କହିଥିଲା । ମାତ୍ର ତା'ର ସାନ ଭାଇ ଟଙ୍କା ନ ଫେରାଇବାରୁ ସେ ରାଗି ଯାଇ ତାକୁ ବାଡିରେ ପିଟି ଥିଲା । ହେଲେ ତା'ର ମୃତ୍ୟୁ ଘଟିବ ବୋଲି ଅଭିଯୁକ୍ତ ଭାଇ ଜାଣିନଥିବା କହିଛି ।