ମୁମ୍ବାଇ: ମହାରାଷ୍ଚ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ବିଦ୍ରୋହୀ ଶିବସେନା ବିଧାୟକ ଏକନାଥ ସିନ୍ଦେ (Eknath Shinde to be the new Chief Minister of Maharashtra) । ଆଜି ସଂଧ୍ୟା 7.30 ରେ ରାଜ୍ୟର 20 ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଏକନାଥ ସିନ୍ଦେ । ଏହା ଘୋଷଣା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ (BJP leader Devendra Fadnavis) । ଏହାସହ ଆଗାମୀ କିଛି ଦିନ ମଧ୍ୟରେ ପୁରା ମନ୍ତ୍ରୀ ମଣ୍ଡଳର ସମ୍ପ୍ରସାରଣ ହେବ ବୋଲି ଘୋଷଣା କରିଛନ୍ତି ଫଡନାଭିସ । ହେଲେ ବିଜେପି ସରକାରରେ ସାମିଲ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଫଡନାଭିସ ।
ତେବେ ଦୀର୍ଘ ଏକ ସପ୍ତାହରୁ ଅଧିକ ସମୟ ଧରି ରାଜ୍ୟ ରାଜନୀତିରେ ଲାଗି ରହିଥିବା ସଂକଟ ମଧ୍ୟରେ ଚର୍ଚ୍ଚାରେ ଥିବା ଦେବେନ୍ଦ୍ର ଫଡନାଭିସଙ୍କୁ କିନ୍ତୁ ମୁଖ୍ୟମନ୍ତ୍ରୀ ହେବେ ନାହିଁ କି ଦଳ ସରକାରରେ ସାମିଲ ହେବେ ନାହିଁ ବୋଲି ଘୋଷଣା କରିଛନ୍ତି । ଦେବେନ୍ଦ୍ର ଖୋଦ ନିଜେ ଏକାନଥ ସିନ୍ଦେ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି । ଶିବସେନାରୁ ବିଦ୍ରୋହ କରି ଆସିଥିବା ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ଏକ ବଡ ଗୋଟି ଚାଳନା କରିଛି । ଏହା ଦ୍ବାରା ଦଳର ଭବିଷ୍ୟତ ରଣନୀତି ବାରି ହୋଇପଡୁଛି ।
ହେଲେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଏକନାଥ ସିନ୍ଦେଙ୍କୁ ନେଇ ଲାଗି ରହିଛି ଚର୍ଚ୍ଚା ଆଲୋଚନା । କିଏ ଏହି ଏକନାଥ ସିନ୍ଦେ (Who is Eknath shinde) କଣ ତାଙ୍କ ଅତୀତ? କେମିତି ଆସିଲେ ରାଜନୀତିକୁ । ଠାକରେ ପରିବାର ସହ କଣ ଥିଲା ସମ୍ପର୍କ ? ହିନ୍ଦୁତ୍ବକୁ ନେଇ ଏତେ କଠୋର କାହିଁକି? କଣ ରହିଛି ରାଜନୈତିକ ଅନୁଭବ? କେମିତି ଉଦ୍ଧବଙ୍କ ହାତରୁ କ୍ଷମତା ଛଡାଇ ଆଣିଲେ । ଦିନେ ଅଟୋ ଚଳାଇ ନିଜ କର୍ମମୟ ଜୀବନ ଆରମ୍ଭ କରିଥିବା ଏକନାଥ କିଭଳି ମୁଖ୍ୟମନ୍ତ୍ରୀ ପଦ ପର୍ଯ୍ୟନ୍ତ ପହଞ୍ଚିଲେ ।
କିଏ ଏକନାଥ ସିନ୍ଦେ...
9 ଫେବୃୟାରୀ 1964ରେ ମହାରାଷ୍ଟ୍ରର ସତାରା ଜିଲ୍ଲା ଜୱାଲୀରେ ଏକନାଥ ସିନ୍ଦେଙ୍କ ଜନ୍ମ । ଏକନାଥ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ଥାନେରେ ପଢିବା ପରେ ୱାଗଲେ ଇଷ୍ଟେଟ ଅଞ୍ଚଳରେ ରହି ଅଟୋ ରିକ୍ସା(auto rickshaw driver) ଚଳାଇବା ଆରମ୍ଭ କଲେ। ଅଟୋ ଚଳାଇ ଚଳାଇ ସମୟକ୍ରମେ ଅଶୀ ଦଶକରେ ଶିବସେନା (Shiv sena) ସମ୍ପର୍କରେ ଆସିଲେ । ଜଣେ କଠୋର ହିନ୍ଦୁତ୍ବ ହୋଇଥିବାରୁ ଏକନାଥ ଜଣେ ଶିବ ସୈନିକ ଭାବେ କାମ କଲେ । ତୃଣମୂଳ ସ୍ତରରୁ ଦଳରେ କାମ କରି ଆସିଥିବା ସିନ୍ଦେ ରାଜ୍ୟର ଅନ୍ୟତମ ପ୍ରଭାବଶାଳୀ ନେତା ଆନନ୍ଦ ଦୀଘେଙ୍କ ସହାୟତାରେ ନିଜ ରାଜନୈତିକ ଜୀବନ ଆଗକୁ ବଢାଇଲେ । ସମୟକ୍ରମେ ମୁମ୍ବାଇର ପଡୋଶୀ ଥାନେ ଜିଲ୍ଲାର ଅନ୍ୟତମ ପ୍ରଭାବଶାଳୀ ନେତା ପାଲଟି ଗଲେ ଏକନାଥ । ସାଧାରଣ ନିର୍ବାଚନ ହେଉ କି, ବିଧାନସଭା ନିର୍ବାଚନ କିମ୍ବା ସ୍ଥାନୀୟ ନିର୍ବାଚନ ସମସ୍ତ ନିର୍ବାଚନରେ ଥାନେ ଜିଲ୍ଲା ସମେତ ମୁମ୍ବାଇରେ ଏକନାଥଙ୍କ ପ୍ରଭାବ ଜବରଦସ୍ତ ରହିଲା । ସମସ୍ତ ନିର୍ବାଚନରେ ତାଙ୍କର ଭୂମିକା ହୋଇଥାଏ ନିର୍ଣ୍ଣୟ ।
ଅଟୋ ଡ୍ରାଇଭରରୁ ମନ୍ତ୍ରୀ ଯାଏଁ...
ଏକନାଥ ପ୍ରଥମଥର 1997 ରେ ଥାନେ ମହାନଗର ପାଳିକାର କାଉନସିଲର ଭାବେ ନିର୍ବାଚିତ ହେଲେ । 2001ରେ ମହାନଗର ନିଗମର ବିରୋଧୀ ଦଳ ନେତା ଭାବେ କାମ କଲେ । 2002ରେ ଦ୍ବିତୀୟ ଥର ପାଇଁ କାଉନସିଲର ଭାବେ ନିର୍ବାଚିତ ହେଲେ । 2004 ରେ କୋପରୀ-ପଚପଖାଡୀ ଆସନ (Kopri-Pachpakhadi Assembly constituency) ରୁ ପ୍ରଥମ ଥର ପାଇଁ ଶିବସେନା ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହେଲେ । 2000 ମସିହାରେ ଥାନେ ଅଞ୍ଚଳର ଶିବସେନାର ପ୍ରମୁଖ ପ୍ରଭାବଶାଳୀ ନେତା ଆନନ୍ଦ ଦୀଘେଙ୍କ ଦେହାନ୍ତ ପରେ ସିନ୍ଦେଙ୍କ ପ୍ରଭାବ ବଢିବାରେ ଲାଗିଲା । ପରେ ପରେ ଦଳର ଅନ୍ୟତମ ନେତା ତଥା ବର୍ତ୍ତମାନର କେନ୍ଦ୍ରୀୟ ମନ୍ତ୍ରୀ ନାରାୟଣ ରାଣେ (Narayan Rane) 2005 ରେ ଶିବସେନାରୁ ଇସ୍ତଫା ଦେଇଥିଲେ । ଏହା ପରେ ସିନ୍ଦେଙ୍କ ବିସ୍ତାର ଆହୁରି ହେବାରେ ଲାଗିଲା । ପୁଣି ରାଜ ଠାକରେ ମଧ୍ୟ ଦଳ ଛାଡିଲେ । ଏହି ସମୟରେ ସିନ୍ଦେ ଠାକରେ ପରିବାରର ନିକଟତର ହେବାରେ ଲାଗିଲେ । ଧୀରେ ଧୀରେ ଉଦ୍ଧବ ଠାକରେଙ୍କ ସହ ସମ୍ପର୍କ ସୁଦୃଢ ହେବାରେ ଲାଗିଲା ।
ଲଗାତାର ରହିଛନ୍ତି ବିଧାୟକ...