ରାଞ୍ଚି:୨୧ ଦିନର ନବଜାତ ପେଟରୁ ବାହାରିଲା ୮ ଭୃଣ । ଝାଡଖଣ୍ଡ ରାଞ୍ଚିର ଏକ ହସ୍ପିଟାଲରୁ ଏକ ତାଜୁବ କଲାଭଳି ଘଟଣା ସାମ୍ନାକୁ ଆସିଛି । ହସ୍ପିଟାଲରେ ଜନ୍ମିତ ଏକ ୨୧ ଦିନର ଶିଶୁକନ୍ୟା ପେଟରୁ ୮ଟି ଭୃଣ ବାହାରିଛି । ଯାହାକି ମେଡିକାଲ ଚିକିତ୍ସା ଇତିହାସରେ ଏକ ବିରଳ ଘଟଣା । ଗତ ଅକ୍ଟୋବର ୧୦ରେ ପାଟନା ରାମଗଡରେ ଶିଶୁକନ୍ୟା ଜନ୍ମଲାଭ କରିଥିଲା । ହେଲେ ଜନ୍ମ ପରେ ନବଜାତର ଶରୀର ଅସୁସ୍ଥ ହେବାରୁ ତାକୁ ରାଞ୍ଚି ସ୍ଥିତି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଶିଶୁକନ୍ୟା ପେଟରେ ଟ୍ୟୁମର ଥିବା ନେଇ ଡାକ୍ତର ସନ୍ଦେହ କରିଥିଲେ । ଏଥିପାଇଁ ଡାକ୍ତର ଶିଶୁଟିର ସିଟି ସ୍କାନ କରିଥିଲେ । ହେଲେ ଅପରେସନ ସମୟରେ ଶିଶୁଟି ପେଟରୁ ୮ଟି ଭୃଣ ବାହାରିଥିଲ । ଏହାଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ବିରଳ ମାମଲାକୁ ମେଡିକାଲ ଟର୍ମରେ ଫେଟସ-ଇନ-ଫେଟୁ(FIF)କୁହାଯାଏ । ଏହା ଏକ ବିରଳ ଘଟଣା ଯେଉଁଥିରେ ମାଆର ଗର୍ଭାଶୟରେ ବଢ଼ୁଥିବା ଭୃଣ ସହ ଏକ ବିକୃତ ଜଆଁଳା ଭୃଣ ତାହାରି ମଧ୍ୟରେ ଆବଦ୍ଧ ହୋଇ ରହିଯାଏ ।
ଏହାକୁ ନେଇ ଶିଶୁ ବିଶେଷଜ୍ଞ ଡାକ୍ତର ରାଜେଶ କୁମାର କହିଛନ୍ତି, "ସିଟି ସ୍କାନ୍ ସମୟରେ ନବଜାତ ଶିଶୁ କନ୍ୟା ପେଟରେ ଏକ ଟ୍ୟୁମର ସଦୃଶ କିଛି ରହିଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଅପରେସନ ପରେ ଆମେ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ । ନବଜାତ ଶିଶୁକନ୍ୟା ପେଟରେ(abdomen) ୮ଟି ଅଣ ବିକଶିତ ଭୃଣ ରହିଥିଲା । ସଫଳତାର ସହ ଏହି ଭୃଣ ବାହାର କରାଯାଇଛି । ବିଶ୍ବରେ ୧୦୦ରୁ କମ୍ କ୍ଷେତ୍ରରେ ଫେଟସ-ଇନ-ଫେଟୁ ଦେଖାଯାଏ । ଅନେକ ଶିଶୁଙ୍କ ପେଟ ଭିତରୁ ଏଭଳି ଅଣ ବିକଶିତ ଭୃଣ ବାହାର କରାଯାଇଛି । କିନ୍ତୁ ଏକ ୨୧ ଦିନର ନବଜାତ ପେଟରୁ ୮ଟି ଅଣବିକଶିତ ଭୃଣ ବାହାରିବା ନିହାତି ଭାବରେ ଆଶ୍ଚର୍ଯ୍ୟଜନକ ।"
ଏହାକୁ ନେଇ ଶିଶୁ ରୋଗ ଅସ୍ତ୍ରପଚାର ବିଶେଷଜ୍ଞ (Pediatric surgeon) ଡାକ୍ତର ମହମ୍ମଦ ଇମରାନ୍ କହିଛନ୍ତି, "ଏହି ନବଜାତର ପରିବାର ତା ପେଟରେ ଟ୍ୟୁମର ହୋଇଥିବା ନେଇ ଡାକ୍ତରଖାନାକୁ ଆସିଥିଲେ । ନବଜାତ ଶିଶୁକନ୍ୟାକୁ ୨୧ ଦିନ ନଜରରେ(supervision) ରଖାଯାଇଥିଲା । ଏହାକୁ ନେଇ ଆମେ ଗବେଷଣା(research) କରିବୁ ଯାହାଦ୍ବାରା ସାରା ବିଶ୍ବ ଜାଣିବ ଯେ, ଝାଡ଼ଖଣ୍ଡରେ ଏଭଳି ବିରଳ ଫେଟସ-ଇନ-ଫେଟୁ ଘଟିଥିଲା ।"
ଦୀର୍ଘ ଏକ ଘଣ୍ଟା ୩୦ ମିନିଟ୍ ଧରି ନବଜାତର ଅପରେସନ କରାଯାଇଥିଲା । ଅସ୍ତ୍ରୋପଚାର ବିଶେଷଜ୍ଞ ଡାକ୍ତର ମହମ୍ମଦ ଇମରାନ୍ଙ୍କ ନେତୃତ୍ବରେ ଏହି ଅପରେସନ ସଫଳ ହୋଇଛି । ଏହି ଟିମ୍ରେ ଡାକ୍ତର ବିକାଶ ଗୁପ୍ତା, DNB ଛାତ୍ର ଡାକ୍ତର ଉଦୟ ଓ ଷ୍ଟାଫ୍ ନର୍ସ ସାମିଲ ଥିଲେ । ଏମାନେ ଶିଶୁଟିର ଜୀବନ ବଞ୍ଚାଇବା ପାଇଁ ସମାନ ପରିମାଣରେ ପ୍ରୟାସ କରିଥିଲେ ବୋଲି କହିଛନ୍ତି ଶିଶୁ ଅସ୍ତ୍ରୋପଚାର ବିଶେଷଜ୍ଞ ଡାକ୍ତର ମହମ୍ମଦ ଇମରାନ୍ ।