ଲକ୍ଷ୍ନୌ:ଉତ୍ତରପ୍ରଦେଶରେ ମାଲବାହୀ ଟ୍ରେନ ଦୁର୍ଘଟଣା । ଦୁଇ ମାଲବାହୀ ଟ୍ରେନ ମୁହାଁମୁହିଁ ଧକ୍କା ହୋଇଛି । ଉତ୍ତରପ୍ରଦେଶର ସୁଲତାନପୁର ରେଳ ଷ୍ଟେସନ ନିକଟରେ ଘଟିଛି ଏହି ଦୁର୍ଘଟଣା । ତେବେ ଏହି ଦୁର୍ଘଟଣାରେ ଟ୍ରେନର ଦୁଇ ଲୋକ ପାଇଲଟ ଗୁରୁତର ହୋଇଥିବା ସୂଚନା ରହିଛି । ଟ୍ରେନ ଧକ୍କା ଯୋଗୁଁ ଟ୍ରାକରୁ 8ଟି ବଗି ଖସିଯାଇଥିବା ବେଳେ ଟ୍ରାକ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ତେଣୁ ସୁଲତାନପୁର ଦେଇ ଯାଉଥିବା ଟ୍ରେନର ଗତିପଥକୁ ପରିବର୍ତ୍ତନ କରାଯାଇଛି । ଏହାସହ ଯୁଦ୍ଧ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ରେଳବାଇ ପକ୍ଷରୁ କୁହାଯାଇଛି, "ମାଲବାହୀ ଟ୍ରେନ ବାରଣାସୀରୁ ସୁଲତାନପୁର ଅଭିମୁଖେ ଆସୁଥିଲା । ତେବେ ଭୋର ସମୟରେ ସୁଲତାନପୁର ନିକଟସ୍ଥ ରେଳ ଷ୍ଟେସନ ନିକଟରେ ଦୁଇ ମାଲବାହୀ ଟ୍ରେନ ମଧ୍ୟରେ ଧକ୍କା ହୋଇଥିଲା । ଲୋକ ପାଇଲଟ ଟ୍ରାକ ସିଗନାଲ ନଦେଖି ଟ୍ରେନ ଚଳାଉଥିବାରୁ ଏଭଳି ଅଘଟଣ ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି । ଦୁର୍ଘଟଣା ପରେ ଷ୍ଟେସନରେ ଲାକଙ୍କ ଗହଳି ଜମିଥିବା ବେଳେ ଆହତ ଲୋକ ପାଇଲଟଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । "
ମିଳିଥିବା ସୂଚନା ଅନୁସାରେ, ଦୁର୍ଘଟଣାସ୍ଥଳରେ ରେଳ ବିଭାଗର କର୍ମଚାରୀ, ଉଦ୍ଧାରକାରୀ ଟିମ ଏବଂ ଇଞ୍ଜିନିୟର ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ ପ୍ରଶାସନିକ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଡିଏମ ରବିଶ ଗୁପ୍ତାଙ୍କ ନିର୍ଦ୍ଦେଶରେ ଏସଡିଏମ ସିପି ପାଠକ ଘଟଣାସ୍ଥଳରେ ପହଞ୍ଚି ଲୋକପାଇଲଟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ।